fbpx

ଏଲୋପ୍ୟାଥିକୁ ସମାଲୋଚନା କରିବା ପରେ ଫସିଲେ ବାବା ରାମଦେବ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓଙ୍କୁ ନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ପ୍ରତିବାଦ କରାଯାଇଛି । ଉକ୍ତ ଭିଡିଓରେ ଯୋଗ ଗୁରୁ ବାବା ରାମଦେବ ଏଲୋପ୍ୟାଥି ବିରୋଧରେ ମନ୍ତବ୍ୟ ଦେଉଥିବାର ଦେଖାଯାଉଛି । ରାମଦେବଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଆଇଏମଏ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହି ଅଭିଯୋଗ ଗ୍ରହଣ କରି ରାମଦେବଙ୍କ ବିରୋଧରେ ମହାମାରୀ ରୋଗ ଆଇନ ଅନୁଯାୟୀ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଏମଏ ପକ୍ଷରୁ ଦାବି କରାଯାଇଛି ।

ଉକ୍ତ ଭିଡିଓରେ ରାମଦେବ କହିଥିଲେ ଯେ, ଏଲୋପ୍ୟାଥି ହେଉଛି ଏକ ନିମ୍ନସ୍ତରର ବିଜ୍ଞାନ । ଲକ୍ଷ ଲକ୍ଷ ଲୋକ ଏଲୋପ୍ୟାଥି ସେବନ ଦ୍ୱାରା ପ୍ରାଣ ହରାଇଛନ୍ତି । ଅତୀତରେ ରାମଦେବ ଡାକ୍ତରମାନଙ୍କୁ ହତ୍ୟାକାରୀ ବୋଲି ମଧ୍ୟ ଅଭିହିତ କରିଥିଲେ । ଆଇଏମଏ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର କରୋନା ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବା ନେଇ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ପ୍ରାୟ ୧୨ ଶହରୁ ଅଧିକ ଆଧୁନିକ ଏଲୋପ୍ୟାଥି ଡାକ୍ତର ନିଜ ଜୀବନକୁ ବାଜି ଲଗାଇ କରୋନା ବିପକ୍ଷରେ ଲଢ଼େଇ କରୁଛନ୍ତି । ରାମଦେବ ଓ ତାଙ୍କର ସହଯୋଗୀ ଶ୍ରୀ ବାଲକ୍ରିଷ୍ଣ ଜୀ ଅସୁସ୍ଥ ଥିବା ସମୟରେ ଆଧୁନିକ ଏଲୋପ୍ୟାଥି ସେବନ କରିଛନ୍ତି । ତେଣୁ ରାମଦେବଙ୍କ ଏହି ମନ୍ତବ୍ୟ ବାସ୍ତବିକ ପିଲାଳିଆମି ଓ ହାସ୍ୟାସ୍ପଦ ଅଟେ । ରାମଦେବ ନିଜ କମ୍ପାନୀର ବେଆଇନ ଓ ଅଣପଞ୍ଜିକୃତ ଔଷଧର ବିକ୍ରି ପାଇଁ ଏପରି ଶସ୍ତା ମନ୍ତବ୍ୟ ଦେଉଛନ୍ତି । ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ଆଇଏମଏ ପକ୍ଷରୁ ଦାବି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.