‘ରାକ୍ଷସୀ ପରି ଦେଖାଯାଉଛି’: ରିଲିଜ୍ ପୂର୍ବରୁ ବିବାଦରେ ଘେରିଲା ରାମାୟଣ, ମେକଅପ୍ ଓ କାଷ୍ଟିଂ ଉପରେ ଉଠିଲା ପ୍ରଶ୍ନ!
ରାମାୟଣ ଫିଲ୍ମରେ ସୀତା ଭୂମିକାକୁ ନେଇ ବିବାଦ! ସାଇ ପଲ୍ଲବୀଙ୍କ ଲୁକ୍ ଓ ମେକଅପ୍କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍!
ନୂଆଦିଲ୍ଲୀ: ରଣବୀର କପୁର ଏବଂ ସାଇ ପଲ୍ଲବୀ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’, ଦୀପାବଳି ପର୍ବ ଅବସରରେ ଅର୍ଥାତ୍ ନଭେମ୍ବର ୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଥିବା ବେଳେ, କଳାକାର ଚୟନକୁ ନେଇ ସୃଷ୍ଟି ହୋଇଥିବା ଏକ ବଡ଼ ବିବାଦ ସୋସିଆଲ ମିଡିଆରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି।
ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଚୟନକୁ ନେଇ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି। କିଛି ଲୋକ ତାଙ୍କର ସରଳତା ଏବଂ ବିନମ୍ର ସ୍ୱଭାବର ପ୍ରଶଂସା କରୁଥିବା ବେଳେ, ଅନ୍ୟ କେତେକ ତାଙ୍କର ବାହ୍ୟ ରୂପ, କେଶ ସଜ୍ଜା ଏବଂ ମେକ୍ଅପ୍କୁ ନେଇ କଠୋର ସମାଲୋଚନା କରୁଛନ୍ତି।
ମେକଅପ୍ ଏବଂ ରୂପକୁ ନେଇ ନେଟିଜେନ୍ମାନେ କ୍ରୋଧ ପ୍ରକାଶ କରିଛନ୍ତି: ଶାସ୍ତ୍ର ଓ ପୁରାଣରୁ ଉଦାହରଣ ଦେଇ ଅନେକ ବ୍ୟବହାରକାରୀ ମାତା ସୀତାଙ୍କ ସୌନ୍ଦର୍ଯ୍ୟ ବିଷୟରେ ଚର୍ଚ୍ଚା କରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ସାଇ ପଲ୍ଲବୀ ନିଶ୍ଚିତ ଭାବରେ ଜଣେ ସୁନ୍ଦରୀ ଏବଂ ସରଳ ଅଭିନେତ୍ରୀ, କିନ୍ତୁ ମାତା ସୀତାଙ୍କ ଭୂମିକା ପାଇଁ ସେ ଆଦୌ ଉପଯୁକ୍ତ ପସନ୍ଦ ନୁହଁନ୍ତି। ଯେଉଁ ବ୍ୟକ୍ତି ତାଙ୍କ ଚୟନ ବା କାଷ୍ଟିଂ ଏବଂ ମେକଅପ୍ ପାଇଁ ଦାୟୀ, ତାଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରାଯିବା ଉଚିତ୍।”
ସମାଲୋଚନା ଏତିକିରେ ସୀମିତ ରହିଲା ନାହିଁ, କିଛି ନେଟିଜେନ୍ ସୀମା ଲଙ୍ଘନ କରି ଅତ୍ୟନ୍ତ କଠୋର ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଅନ୍ୟ ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, “ସାଇ ପଲ୍ଲବୀଙ୍କୁ ଦେଖିଲେ ଲାଗୁଛି ଯେପରି ସେ ଅଶୋକ ବାଟିକାର କୌଣସି ରାକ୍ଷସୀ। ମନେହେଉଛି, ମେକଅପ୍ ଆର୍ଟିଷ୍ଟ ଜଣକ ବୋଧହୁଏ ତାଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେଉଛନ୍ତି।”
ଉତ୍ତର-ଦକ୍ଷିଣ ବିତର୍କ ଏବଂ ବିକଳ୍ପ: ଏହି ବିବାଦକୁ ନେଇ ଚାଲିଥିବା ଆଲୋଚନା ବର୍ତ୍ତମାନ ‘ଉତ୍ତର ବନାମ ଦକ୍ଷିଣ’ ବିତର୍କ ପର୍ଯ୍ୟନ୍ତ ବ୍ୟାପିଯାଇଛି। କିଛି ବ୍ୟବହାରକାରୀ ମତ ଦେଇଛନ୍ତି ଯେ, ଯେଉଁ ଅଭିନେତ୍ରୀ ଭାଷାକୁ ଠିକ୍ ଭାବରେ ଉଚ୍ଚାରଣ କରିପାରୁନାହାନ୍ତି, ତାଙ୍କୁ ଏପରି ଏକ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ପାଇଁ ବଛାଯିବା ଉଚିତ୍ ନଥିଲା।
ଅନ୍ୟ ଜଣେ ବ୍ୟବହାରକାରୀ ସାରା ଅର୍ଜୁନଙ୍କ ନାମ ପ୍ରସ୍ତାବ କରି ଲେଖିଛନ୍ତି, “ଏହି ଭୂମିକା ପାଇଁ ସାରା ଅର୍ଜୁନ ଅଧିକ ଉପଯୁକ୍ତ ପସନ୍ଦ ହୋଇଥାନ୍ତେ। ମାତା ସୀତାଙ୍କ ଚରିତ୍ର ପାଇଁ ଯେଉଁ ଭାବ ଆବଶ୍ୟକ, ତାହା ସାଇ ପଲ୍ଲବୀଙ୍କ ଠାରେ ସେତେଟା ଦେଖିବାକୁ ମିଳୁନାହିଁ।”ଆସନ୍ତା ନଭେମ୍ବର ୫ ତାରିଖରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ, ରଣବୀର ଏବଂ ସାଇ ଅଭିନୀତ ଏହି ‘ରାମାୟଣ’ ବକ୍ସ ଅଫିସରେ କି ପ୍ରକାର ଯାଦୁ ସୃଷ୍ଟି କରିବ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି।


