ଦୁବାଇରୁ ସୁନା ଚୋରା ଚାଲାଣ; ଫସିଲେ ଅଭିନେତ୍ରୀ, ଗଣିବେ ମୋଟା ଅଙ୍କର ତଣ୍ଡ
କଷ୍ଟମ୍ସର ତଦନ୍ତ ଅନୁସାରେ, ଏହି ଗୋଷ୍ଠୀ ମାର୍ଚ୍ଚ ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ୧୨୭ କିଲୋଗ୍ରାମରୁ ଅଧିକ ସୁନା ଭାରତକୁ ଚୋରାଚାଲାଣ କରିଥିବା ଅଭିଯୋଗ ହୋଇଛି। ଏହି ସୁନାର ମୂଲ୍ୟ ପ୍ରାୟ ୧୦୨.୫ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
ବାଙ୍ଗାଲୁରୁ: ଅଭିନୟ ଦୁନିଆରୁ ସୁନା ଚୋରାଚାଲାଣ ମାମଲା! ଦୁବାଇରୁ ସୁନା ଆଣିବା ଅଭିଯୋଗରେ ସାଉଥ୍ ଅଭିନେତ୍ରୀ ହର୍ଷବର୍ଦ୍ଧିନୀ ରାନ୍ୟା ରାଓଙ୍କ ସମେତ ୪ ଜଣଙ୍କ ଉପରେ ୨୭୦.୮ କୋଟି ଟଙ୍କାର ଜରିମାନା ଲଗାଇଛି କଷ୍ଟମ୍ସ ବିଭାଗ। ଏହି ମାମଲାରେ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଏକାକୀ ୧୦୨.୫ କୋଟି ଟଙ୍କାର ଜରିମାନା ହୋଇଛି।
କଷ୍ଟମ୍ସର ତଦନ୍ତ ଅନୁସାରେ, ଏହି ଗୋଷ୍ଠୀ ମାର୍ଚ୍ଚ ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ୧୨୭ କିଲୋଗ୍ରାମରୁ ଅଧିକ ସୁନା ଭାରତକୁ ଚୋରାଚାଲାଣ କରିଥିବା ଅଭିଯୋଗ ହୋଇଛି। ଏହି ସୁନାର ମୂଲ୍ୟ ପ୍ରାୟ ୧୦୨.୫ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
ସେପ୍ଟେମ୍ବର ୩୦ ତାରିଖରେ କଷ୍ଟମ୍ସ ଯୁଗ୍ମ କମିଶନର ସନ୍ଦୀପ ଗୁଞ୍ଜାଲ ଏହି ମାମଲାରେ ଆଦେଶ ଜାରି କରିଛନ୍ତି। ଆଦେଶ ଅନୁସାରେ, ରାନ୍ୟା ରାଓଙ୍କୁ ଚୋରାଚାଲାଣର ମାଷ୍ଟର ମାଇଣ୍ଡ କରାଯାଇଛି। ତେଣୁ ତାଙ୍କ ବିରୋଧରେ ୧୦୨.୫ କୋଟି ଟଙ୍କାର ଜରିମାନା କରାଯାଇଛି। ଏହା ବ୍ୟତୀତ ତରୁଣ କୋଣ୍ଡୁରୁ ରାଜୁଙ୍କ ଉପରେ ୬୨.୧ କୋଟି ଟଙ୍କା; ସାହିଲ ସକାରିଆ ଜୈନ ଓ ଭରତ କୁମାର ଜୈନଙ୍କ ଉପରେ ୫୩.୧ କୋଟି ଟଙ୍କା ଲେଖାଏଁ ଜରିମାନା ହୋଇଛି।
୨୦୨୫ ମାର୍ଚ୍ଚ ୩ ତାରିଖରେ ଦୁବାଇରୁ ବେଙ୍ଗାଲୁରୁ ଫେରିବା ସମୟରେ ରାନ୍ୟା ରାଓଙ୍କୁ କଷ୍ଟମ୍ସ ଅଧିକାରୀମାନେ ଯାଞ୍ଚ କରିଥିଲେ। ସେହି ସମୟରେ ତାଙ୍କଠାରୁ ପ୍ରାୟ ୧୪.୨ କିଲୋଗ୍ରାମ ସୁନା ଜବତ ହୋଇଥିଲା। ଯାହାର ସେତେବେଳର ମୂଲ୍ୟ ପ୍ରାୟ ୧୨.୬ କୋଟି ଟଙ୍କା ଥିଲା। ତଦନ୍ତରେ ସୁନାକୁ ଶରୀରର ବିଭିନ୍ନ ସ୍ଥାନ, ପୋଷାକର ପକେଟ୍ ଓ ଜୋତା ଭିତରେ ଲୁଚାଇ ଅଣାଯାଇଥିବା କଷ୍ଟମ୍ସ ଦାବି କରିଛି।
କଷ୍ଟମ୍ସ ଆଦେଶରେ ରାନ୍ୟା ରାଓଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ତଦନ୍ତକାରୀଙ୍କ ଅନୁସାରେ, ତରୁଣ କୋଣ୍ଡୁରୁ ରାଜୁ ଦୁବାଇରେ କାଗଜପତ୍ର ପ୍ରସ୍ତୁତି ଓ ସୁନା ଡେଲିଭରି ସହ ଜଡ଼ିତ ଥିଲେ। ଅନ୍ୟପଟେ ସାହିଲ ଓ ଭରତ ଜୈନଙ୍କ ଉପରେ ଭାରତରେ ଚୋରା ଚାଲାଣ ହୋଇଥିବା ସୁନା ବିକ୍ରି ଓ ସେଥିରୁ ମିଳିଥିବା ଟଙ୍କାର ବ୍ୟବସ୍ଥା କରିବାର ଅଭିଯୋଗ ରହିଛି। ଏହି କାରବାରରେ ହୱାଲା ନେଟୱର୍କ ବ୍ୟବହାର ହୋଇଥିବା ମଧ୍ୟ କଷ୍ଟମ୍ସ କହିଛି।
ତଦନ୍ତ ସମୟରେ ରାନ୍ୟା ରାଓଙ୍କ ଲାଭେଲ୍ ରୋଡ୍ସ୍ଥିତ ଘରେ ମଧ୍ୟ ଚଢ଼ାଉ ହୋଇଥିଲା। ସେଠାରୁ ପ୍ରାୟ ୨.୭ କୋଟି ଟଙ୍କା ନଗଦ ଏବଂ ୨.୧ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ମିଳିଥିବା କଷ୍ଟମ୍ସ ଦର୍ଶାଇଛି।
ତେବେ କଷ୍ଟମ୍ସର ଏହି ଆଦେଶ ବିରୋଧରେ ଚାରି ଅଭିଯୁକ୍ତଙ୍କ ପାଖରେ ଆଇନଗତ ବିକଳ୍ପ ରହିଛି। ଆଦେଶ ସମ୍ପର୍କରେ ସୂଚନା ପାଇବାର ୬୦ ଦିନ ମଧ୍ୟରେ ସେମାନେ କଷ୍ଟମ୍ସ କମିଶନରଙ୍କ ନିକଟରେ ଆବେଦନ କରିପାରିବେ। ଅର୍ଥାତ ଏହି ମାମଲାରେ ଆଇନଗତ ଲଢ଼େଇର ରାସ୍ତା ଏବେ ମଧ୍ୟ ଖୋଲା ରହିଛି।

