ମାତ୍ର ୫ମାସରେ ବିବାହରେ ଫାଟ, ଇଶା ରିଖିଙ୍କଠୁ ଅଲଗା ହେବେ ବାଦଶାହ, କହିଲେ, ‘ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ’

ପ୍ରସିଦ୍ଧ ର‍୍ୟାପର ବାଦଶାହା ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ଇଷା ରଖିଙ୍କ ମଧ୍ୟରେ ବିଚ୍ଛେଦ

ଓଡ଼ିଶା ଭାସ୍କର ଡେସ୍କ: ପ୍ରସିଦ୍ଧ ର‍୍ୟାପର ଏବଂ ମ୍ୟୁଜିକ୍ କମ୍ପୋଜର ବାଦଶାହାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାଦଶାହା ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ-ମଡେଲ୍ ଇଷା ରଖି ବିବାହର କିଛି ମାସ ପରେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି।

ଗତ କିଛି ସପ୍ତାହ ଧରି ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଉଭୟ ସୋସିଆଲ ମିଡିଆରେ ଏକ ମିଳିତ ବିବୃତ୍ତି ଜରିଆରେ ସେମାନଙ୍କ ବିବାହ ବିଚ୍ଛେଦ ଘୋଷଣା କରିଛନ୍ତି।

ପରସ୍ପର ସହମତିରେ ନିଆଯାଇଛି ନିଷ୍ପତ୍ତି: ଇନଷ୍ଟାଗ୍ରାମରେ ଜାରି କରାଯାଇଥିବା ବିବୃତ୍ତିରେ ଉଭୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି କୌଣସି କଳ୍ପନାଜଳ୍ପନା ବା ତରବରିଆ ନିଷ୍ପତ୍ତି ନୁହେଁ, ବରଂ ପରସ୍ପରର ସହମତି ଏବଂ ସମ୍ମାନ ସହିତ ନିଆଯାଇଛି। ସେମାନେ ଅନୁରୋଧ କରିଛନ୍ତି ଯେ, ଏହି କଷ୍ଟଦାୟକ ସମୟରେ ସମସ୍ତେ ସେମାନଙ୍କର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ଏହି ସମ୍ପର୍କକୁ ନେଇ କୌଣସି ଭୁଲ୍ କଥା କିମ୍ବା ଗୁଜବ ପ୍ରଚାର କରନ୍ତୁ ନାହିଁ।

ପୂର୍ବରୁ ସାମ୍ନାକୁ ଆସିଥିଲା ସଙ୍କେତ: ଏହି ବିବୃତ୍ତି ଆସିବା ପୂର୍ବରୁ ଇଷା ରଖି ସୋସିଆଲ ମିଡିଆରେ କିଛି ଭାବପ୍ରବଣ ଏବଂ ସଙ୍କେତପୂର୍ଣ୍ଣ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ନିଜର ମାନସିକ ସଂଘର୍ଷ ଏବଂ ଭୟ ବିଷୟରେ ଉଲ୍ଲେଖ କରିଥିଲେ।

ଉଭୟଙ୍କ ବିବାହ ଚଳିତ ବର୍ଷ ମାର୍ଚ୍ଚ ମାସରେ ସାମ୍ନାକୁ ଆସିଥିଲା, ଯେତେବେଳେ ଇଷାଙ୍କ ମାତା ପୂନମ ରଖି ବିବାହର କିଛି ଫଟୋ ସେୟାର କରିଥିଲେ। କିନ୍ତୁ ବିବାହର କିଛି ମାସ ମଧ୍ୟରେ ହିଁ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଛି।

ସୂଚନାଯୋଗ୍ୟ ଯେ, ଇଷା ରଖି ବାଦଶାହାଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ଏହାପୂର୍ବରୁ ବାଦଶାହା ଜାସ୍ମିନ୍ ମସିହଙ୍କୁ ବିବାହ କରିଥିଲେ, ଯାହାଙ୍କଠାରୁ ୨୦୨୦ ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ପ୍ରଥମ ପତ୍ନୀଙ୍କ ପକ୍ଷରୁ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛନ୍ତି।