ଦକ୍ଷତା ଅଛି, ଅଭିନୟ ଆସେ; ହେଲେ ରୋଲ୍ ମିଳିବ ବୋଲି ଗ୍ୟାରେଣ୍ଟି ନାହିଁ!

ମନ ବ୍ୟଥା ବଖାଣିବାକୁ ଯାଇ ରସିକା କହିଛନ୍ତି; ଦୁନିଆ ସବୁବେଳେ ନ୍ୟାୟସଙ୍ଗତ ଭାବେ ଚାଲେନି। କେବେ ବିଜନେସ୍ ଜିତେ, କେବେ କ୍ରିଏଟିଭିଟି

ମୁମ୍ବାଇ: ମାୟାନଗରୀରେ ଦକ୍ଷତାର ଅଭାବ ନାହିଁ। ଅଡ଼ିସନ ଦେଉଥିବା ଅଭିନେତାଙ୍କ ଲାଇନ ମଧ୍ୟ କମ ନାହିଁ। କିନ୍ତୁ ମଜାଦାର କଥା ହେଉଛି, ଭଲ ଅଭିନୟ କରିବା ଓ ରୋଲ୍ ପାଇବା ଦୁଇଟି ଭିନ୍ନ କଥା। ମୟାନଗରୀର ଏହି ଅଜବ ଗଣିତକୁ ନେଇ ଖୋଲମଖୋଲା କଥା ହୋଇଛନ୍ତି ‘ମିର୍ଜାପୁର’ ଫେମ ଅଭିନେତ୍ରୀ ରସିକା ଦୁଗ୍‌ଲ।

ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରସିକା କହିଛନ୍ତି; ଅଭିନେତାଙ୍କ ଜ୍ଞାନ ଓ ଦକ୍ଷତାକୁ ସବୁବେଳେ ସମାନ ଗୁରୁତ୍ୱ ମିଳେନାହିଁ। ଆପଣ ଭଲ ଅଭିନେତା ହୋଇପାରନ୍ତି। ଅଭିନୟରେ ଦମ୍ ଥାଇପାରେ। ହେଲେ ତାହା ରୋଲ୍ ହାତେଇବା ପାଇଁ ସବୁବେଳେ ପର‌୍ୟ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି।

ମନ ବ୍ୟଥା ବଖାଣିବାକୁ ଯାଇ ରସିକା କହିଛନ୍ତି; ଦୁନିଆ ସବୁବେଳେ ନ୍ୟାୟସଙ୍ଗତ ଭାବେ ଚାଲେନି। କେବେ ବିଜନେସ୍ ଜିତେ, କେବେ କ୍ରିଏଟିଭିଟି। କିନ୍ତୁ ଫିଲ୍ମ ଦୁନିଆରେ ଏହି ଦୁଇଟିର ନିଜ ନିଜ ଖେଳ ରହିଛି। ତେବେ ରୋଲ ପାଇବାର ଆଉ ଏକ ବଡ଼ ଫ୍ୟାକ୍ଟର ହେଉଛି, ଆପଣଙ୍କୁ ଇଣ୍ଡଷ୍ଟ୍ରି କେମିତି ଦେଖୁଛି? ଆପଣଙ୍କ ପୂର୍ବରୁ କରିଥିବା କାମ ଓ ଆପଣଙ୍କ ପ୍ରତି ନିର୍ମାତା-ନିର୍ଦ୍ଦେଶକଙ୍କ ଧାରଣା କାଷ୍ଟିଂରେ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି।

ସରଳ ଭାଷାରେ କହିବାକୁ ଗଲେ, ଆପଣ ନିଜକୁ ଯେତେ ଭଲ କଳାକାର ଭାବୁଥିବେ, କାଷ୍ଟିଂ ଡାଇରେକ୍ଟରଙ୍କ ମନରେ ଆପଣଙ୍କ ‘ଇମେଜ୍‌’ କ’ଣ, ତାହା ମଧ୍ୟ ବହୁତ କିଛି ନିର୍ଣ୍ଣୟ କରିପାରେ! ନିଜ କାମ ଦ୍ୱାରା ପରିଚୟ ତିଆରି କରିବା ପରେ ମଧ୍ୟ କୌଣସି ରୋଲ ପାଇଁ ରିଜେକ୍ଟ ହେବା ନିଶ୍ଚିତ ଭାବେ ଖରାପ ଲାଗେ। କିନ୍ତୁ ଏହା ଏହି ଖେଳ ଓ ବ୍ୟବସାୟର ଅଂଶ ବୋଲି ମାନିନେବାକୁ ପଡ଼େ ବୋଲି ରସିକା କହିଛନ୍ତି।

ମଜାଦାର ଢଙ୍ଗରେ ରସିକା କହିଛନ୍ତି; ଜଣେ କଳାକାରଙ୍କୁ ଲୋକେ କେଉଁ ନଜରରେ ଦେଖିବେ, ତାହା ତାଙ୍କ ହାତରେ ନାହିଁ। କେହି ତାଙ୍କୁ ଗମ୍ଭୀର ଚରିତ୍ର ପାଇଁ ଭାବିପାରନ୍ତି, କେହି ଅନ୍ୟ ଭୂମିକାରେ। ଏହି ଧାରଣା କେବେ ବଦଳିବ, ତାହା ଉପରେ ଅଭିନେତାଙ୍କ ନିୟନ୍ତ୍ରଣ ନଥାଏ। ଯାହା ନିଜ ହାତରେ ନାହିଁ, ସେଥିପାଇଁ ମୁଣ୍ଡ ଖରାପ କରିବାର ଲାଭ ନାହିଁ। ତେଣୁ ସଚ୍ଚୋଟ ଭାବେ ନିଜ କାମ କରିବା ଉପରେ ଧ୍ୟାନ ଦେବାକୁ ପସନ୍ଦ କରେ ବୋଲି ରସିକା କହିଛନ୍ତି।