fbpx

ଆସୁଛି ଗହ୍ମା ପୂର୍ଣ୍ଣିମା: ଜଟଣୀରେ ଖୋଲିଲା ରାକ୍ଷୀର ପସରା, ବିଭିନ୍ନ ଡିଜାଇନ୍‌ର ରାକ୍ଷୀ ନେବାକୁ ଗ୍ରାହକଙ୍କ ଭିଡ

ଜଟଣୀ,(ଭାସ୍କର ନ୍ୟୁଜ): ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ମଧ୍ୟରୁ ଏକ ସ୍ୱତନ୍ତ୍ର ପର୍ବ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା । ରାକ୍ଷା ବନ୍ଧନ ଉତ୍ସବ ବିଧି ଓ ପରମ୍ପରା ଅନୁଯାୟୀ ପାଳନ ହୋଇଥାଏ । ସେହିଦିନ ଭଉଣୀ ଭାଇକୁ ସ୍ନେହ ଓ ସୁରକ୍ଷାର ପ୍ରତୀକ ଭାବେ ରାକ୍ଷୀ ବାନ୍ଧିଥାଏ । ଆଉ କେଇଟା ଦିନ ପରେ ପଡ଼ିବ ରାକ୍ଷୀ ପୂର୍ଣ୍ଣିମା । ଏଥିାଇଁ ଜଟଣୀ ସହରର ବିଭିନ୍ନ ସ୍ଥାନରେ ହୋଲସେଲରଙ୍କ ରାକ୍ଷୀଦୋକାନ ଖୋଲିଛି । ରେଲୱେ ଗୋଲେଇ ମାର୍କେଟରେ ପ୍ରମୋଦ ସିଜିନ ସେଣ୍ଟର (ପ୍ରମୋଦ ଦାସ), ଲଳିତ ଭଣ୍ଡାର (ଲଳିତ ବେବର୍ତ୍ତା), ମନୋଜ ସେଣ୍ଟର (ମନୋଜ ସାହୁ) ଓ ଥାନା ଛକ ସିଜିନ ସେଣ୍ଟରରେ ବ୍ୟବସାୟୀମାନେ ରାକ୍ଷୀ ବ୍ୟବସାୟ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ କରିଦେଲେଣି । ବିଭିନ୍ନ ଛକ ଓ ବଜାରରେ ରାକ୍ଷୀ ବ୍ୟବସାୟ ପାଇଁ ସ୍ଥାୟୀଷ୍ଟଲ ଖୋଲାଯିବ । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଷ୍ଟଲପାଇଁ ଖୁଚୁରା ବ୍ୟବସାୟୀ ପାଇଁ ସ୍ଥାନ ଅଧିଗ୍ରହଣ ସରିଲାଣି । ଏବର୍ଷ ଅରୁଆ ଚାଉଳରେ ନିର୍ମିତ ଶ୍ରୀଜଗନ୍ନାଥ ରାକ୍ଷୀ ବଜାରକୁ ଆସିଛି ।

ଏଥିସହ ବିଭିନ୍ନ ଡିଜାଇନର ଥ୍ରୀଡ଼ି ରାକ୍ଷୀ, ମାଳିରାକ୍ଷୀ, ମେଟାଲ ରାକ୍ଷୀ, ବୁଟି ରାକ୍ଷୀ, ଷ୍ଟୋନ ରାକ୍ଷୀ, ଚେନ୍‌ ରାକ୍ଷୀ, ବ୍ୟାସ୍‌ଲେଟ୍‌, ତୁଳାରାକ୍ଷୀ, ଇଲେକ୍‌ଟ୍ରୋନିକ୍‌ ସାଉଣ୍ଡ ରାକ୍ଷୀ ଓ ଅନ୍ୟାନ୍ୟ ଡିଜାଇନ୍‌ର ରାକ୍ଷୀକୁ ଅଧିକ ବ୍ୟବସାୟ ହେବାର ଆଶା କରାଯାଉଛି । ଗତ ଦୁଇବର୍ଷ କୋଭିଡ଼ ପାଇଁ ବ୍ୟବସାୟ ମାନ୍ଦା ହୋଇଥିବା ବେଳେ ଛୋଟ ରାକ୍ଷୀଗୁଡିକ ସାଧାରଣତଃ ଦୂରଦୂରାନ୍ତକୁ ଡାକଯୋଗେ ଘରୋଇ କୋରିୟର ଦ୍ୱାରା ପଠେଇବାରେ ସୁବିଧା ହେଉଥିବାରୁ ଏହିସବୁ ରାକ୍ଷୀ ଅଧିକ ବ୍ୟବସାୟ ହୋଇଥାଏ । ପ୍ରାୟ ୩ ମାସ ଆଗରୁ ଏହି ସବୁ ରାକ୍ଷୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀମାନେ ଓଡ଼ିଶା ବାହାରୁ ତଥା ରାଜକୋଟ, ପଞ୍ଜାବ, ଲୁଧିଆନା, ଦିଲ୍ଲୀ, କଲିକତା, ରାୟପୁର, ଅହମ୍ମଦାବାଦ, ବମ୍ବେ, ମଲାଟ, ମହାରାଷ୍ଟ୍ର, ଗୋଆ,ବରୋଦାରୁ ଆଣିଥାନ୍ତି ।

ଓଡ଼ିଶାରେ ଜଗନ୍ନାଥଙ୍କ ରାକ୍ଷୀର ବେଶ୍‌ ଚାହିଦା ରହିଛି । ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନେ ନିଜର ସୁରକ୍ଷାପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିବାର ସୁନ୍ଦର ପରମ୍ପରା ରହିଆସିଛି । ଭାଇ ମଧ୍ୟ ନିଜ ପ୍ରାଣକୁ ପଛରେ ପକାଇ ଭଉଣୀର ମାନ ମହତ ଓ ସମ୍ମାନ ରକ୍ଷା ପାଇଁ ଆଗେଇ ଆସିଥାନ୍ତି । ଏହା ହିଁ ରାକ୍ଷୀର ମୂଲ୍ୟବୋଧ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ଦ୍ୱାପର ଯୁଗରେ ଦ୍ରୌପଦୀ ଏକଦା ଶ୍ରୀକୃଷ୍ଣଙ୍କ ହାତରେ ନିଜ ଶାଢ଼ି ଚିରି ବାନ୍ଧି ଦେଇଥିଲେ । ଏହାର ପ୍ରତିଦାନ ସ୍ୱରୂପ କୁରୁସଭାରେ ଦ୍ରୌପଦୀଙ୍କୁ ବିବସ୍ତ୍ର ଉଦ୍ୟମ ବେଳେ ଭଗବାନ ଶ୍ରୀକୃଷ୍ଣ କୋଟି ବସ୍ତ୍ର ପ୍ରଦାନ କରିଥିଲେ ବୋଲି ପୁରାଣ ବର୍ଣ୍ଣନ ରହିଛି । ତେଣୁ ପ୍ରତିବର୍ଷ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ହିନ୍ଦୁଧର୍ମର ପ୍ରତ୍ୟେକ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଦୀର୍ଘାୟୁ ପାଇଁ ଶୁଭ ମନାସୀ ଥାନ୍ତ।

Get real time updates directly on you device, subscribe now.