fbpx

ଆସନ୍ତା କାଲି ରଥଯାତ୍ରା; ଆକର୍ଷଣୀ ଝୋଟି ରଙ୍ଗରେ ଝଲସୁଛି ପାରଳାଖେମୁଣ୍ଡି ରାଜଦାଣ୍ଡ

ଗଜପତି(ଓଡ଼ିଶା ଭାସ୍କର): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହେବାକୁ ଥିବା ଦକ୍ଷିଣ ଓଡିଶାରେ ପ୍ରଖ୍ୟାତ ଲାଭ କରିଥିବା ରଥଯାତ୍ରା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଉଥିବାର ଦେଖିବାକୁ ମିଳିଛି। ଏଥିଲାଗି ପ୍ରଥମ ଥର ପାଇଁ ରାଜଦାଣ୍ଡରେ ଝୋଟି ରଙ୍ଗରେ ଝଲସିବାରେ ଲାଗିଛି ରାଜରାସ୍ତା। ସୂଚନା ଯୋଗ୍ୟ ଯେ, ଗତ ୨ବର୍ଷ ହେଲା କରୋନା କଟକଣା ଯୋଗୁଁ ଏହି ରଥ ଯାତ୍ରା ବନ୍ଦ ଥିବା ବେଳେ ଚଳିତ ଥର ଯାତ୍ରା ହେଉଥିବାକୁ ନେଇ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି। ତେଣୁ ଚଳିତ ରଥଯାତ୍ରାକୁ ଚକାଚକ କରିବା ପାଇଁ ରାଜଦାଣ୍ଡ ରାସ୍ତାକୁ ଝୋଟିରଙ୍ଗରେ ବିଭିନ୍ନ ଝୋଟି ପକାଯାଇ ରଙ୍ଗୀନ କରାଯାଇଥିବାର ଦେଖିବାକୁ ମିଳିଛି।

ଏହି ରଙ୍ଗାରଙ୍ଗ ରାସ୍ତାରେ ୩ରଥ ଗଢିବ। ଏଥିପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦେବାରେ ଲାଗିଥିବା ବେଳେ ରଥଯାତ୍ରା କମିଟି ଦିନରାତ୍ର ଏକ କରି ଚୂଡାନ୍ତ କାର୍ଯ୍ୟକୁ ସ୍ପର୍ଷ ଦେଉଥିବାର ଲକ୍ଷ୍ୟ କରାଯାଇଛି। ରଥଯାତ୍ରା ଲାଗି ସହରର ଗୁଣ୍ଡିଚାବାଡିରେ ମୀନାବଜାର, ରାମଦୋଳି, ବିଭିନ୍ନ ମନରଂଜନ କାର୍ଯ୍ୟକ୍ରମ ଲାଗି ଷ୍ଟଲ, ଫୁଡ ଷ୍ଟଲ ଆଦି ଲାଗି ପ୍ରସ୍ତୁତି ହେଉଥିବାର ଦେଖିବାକୁ ମିଳିଛି। ଚଳିତ ଥର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବା ଭକ୍ତଙ୍କ ସମାଗମ ହେବା ଦୃଷ୍ଟିରୁ ପୋଲିସ ପ୍ରଶାସନ ମଧ୍ୟ ଶୃଙ୍ଖଳିତ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତି ହେଉଥିବାର ମଧ୍ୟ ଜଣାପଡିଛି । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜଦାଣ୍ଡ ରାସ୍ତାକୁ ଝୋଟି ପେଇଣ୍ଟିଂ ମାଧ୍ୟମରେ ରଙ୍ଗାରଙ୍ଗ କରାଯାଉଥିବାକୁ ନେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଅଛି ।

 

Get real time updates directly on you device, subscribe now.