fbpx

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ସରିଲା ପ୍ରଥମ ଭୂଇଁ ନିର୍ମାଣ, ଦ୍ରୁତ ଗତିରେ ଚାଲିଛି ଖଦୀଓରା ନିର୍ମାଣ କାର୍ଯ୍ୟ

ପୁରୀ,  (ଭାସ୍କର ନ୍ୟୁଜ୍‌) : ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିନେଇ ପ୍ରସ୍ତୁତି ପର୍ବ ଜୋର୍‌ ଧରିଛି । ସେପଟେ ଶ୍ରୀନହର ସମ୍ମୁଖସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ମହାରଣା, ଭୋଇ, ରୂପକାର, କରତି ଏବଂ ଓଝା ସେବାୟତ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଡ଼ିଛନ୍ତି । ଏପର୍ଯ୍ୟନ୍ତ ୩ ରଥର ମୋଟ୍‌ ୪୪ଟି ଯୋକା ସଂଯୋଗ ହୋଇଥିବାବେଳେ ପ୍ରଥମ ଭୂଇଁ ନିର୍ମାଣ ଶେଷ ହୋଇ ନମ୍ବରିଂ ମଧ୍ୟ ଶେଷ ହୋଇଛି । ରଥର ୬ କାଠ ଉଠିଥିବାବେଳେ ଖଦୀଓରା ନିର୍ମାଣ ଜାରି ରହିଛି । ଖୁବ୍‌ ଶୀଘ୍ର ରଥନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଶ୍ୱକର୍ମା ମହାରଣା ସୂଚନା ଦେଇଛନ୍ତି ।

ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ ପାଇଁ ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗୁରୁବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍‌.କେ.ଶର୍ମା ବରିଷ୍ଠ ଅଧିକାରୀଙ୍କ ଏକ ବୈଠକରେ ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁଆଲୋଚନା କରିଛନ୍ତି । ବୈଠକ ପରେ ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଭିତର ଓ ବାହାରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ । ସେହିପରି ରଥଟଣା ଦାୟିତ୍ୱରେ ବରିଷ୍ଠ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବ । ଟ୍ରାଫିକ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି ।

ଅନ୍ୟପକ୍ଷରେ ୧୦୮ ସୁବାସିତ ଗରା ଜଳରେ ମହାପ୍ରଭୁ ସ୍ନାନ କରିବା ପରେ ତାଙ୍କୁ ଜ୍ୱର ହୋଇଛି । ଏବେ ଅଣସରପିଣ୍ଡିରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ରହିଛନ୍ତି । ଦଇତାପତି ସେବାୟତମାନେ ଗୁପ୍ତ ସେବା କରୁଛନ୍ତି । ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ଥିବାରୁ ତାଙ୍କ ସ୍ଥାନରେ ପଟିଦିଅଁ ପୂଜା ପାଉଛନ୍ତି । ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଓ ସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଉଛନ୍ତି । ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁମାନେ ଅଣସର ସମୟରେ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣୁଛନ୍ତି । କଥିତ ଅଛି ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ପୂଣ୍ୟ ମିଳେ । ଏଠାରେ ଅଲାରନାଥଙ୍କ ଖିରୀ ଭୋଗର ମଧ୍ୟ ଏକ ସ୍ୱତନ୍ତ୍ର ମହତ୍ୱ ରହିଛି ।

Get real time updates directly on you device, subscribe now.