fbpx

ଏଥର ବି ଭକ୍ତଶୂନ୍ୟ ହେବ ମହାପ୍ରଭୁଙ୍କୁ ରଥଯାତ୍ରା, କେବଳ ପୁରୀରେ ଗଡ଼ିବ ତିନିରଥ: ଗତବର୍ଷ ପରି ଏ ବର୍ଷ ବି ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ପାଳନ ହେବ

ଭୁବନେଶ୍ୱର/ପୁରୀ,(ଓଡ଼ିଶା ଭାସ୍କର): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା।କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ । ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଗୁରୁବାର ଏହି ସୂଚନା ଦେଇଛନ୍ତି ।

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି । ଏସ୍‌ଆରସି କହିଛନ୍ତି ଯେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌କୁ ପାଳନ କରି କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇପାରିବେ ନାହିଁ । କେବଳ ସେବାୟତମାନେ ଏଥିରେ ନିୟୋଜିତ ହେବେ । ସେମାନଙ୍କ ପାଇଁ ବି ନିୟମ ରହିବ। ଯେଉଁ ସେବାୟତମାନେ ଦୁଇ ଡୋଜ୍‌ ଟିକା ନେଇଥିବେ ବା ରଥଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଯେଉଁ ସେବାୟତଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଥିବ ସେମାନେ ଏଥିରେ ସାମିଲ ହୋଇ ପାରିବେ । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୋଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ ।

ସେହିଭଳି ଗୋଟିଏ ରଥରେ ୫୦୦ ସେବାୟତରୁ ଅଧିକ ରହିବେ ନାହିଁ । ଗତ ବର୍ଷ ଭଳି ଚଳିତ ବର୍ଷ ବି ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ଲାଗିବ । ପୁରୀକୁ ବସ୍‌ ଓ
ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲାଗିବ ବୋଲି ଏସ୍‌ଆର୍‌ସି କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ବି ମନ୍ଦିର ପରିସରରେ ନୀତିକାନ୍ତି ସମ୍ପନ୍ନ କରାଯାଇପାରିବ । କିନ୍ତୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ । ସେହିଭଳି ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନେବ ବୋଲି ଏସ୍‌ଆର୍‌ସି କହିଛନ୍ତି ।ସେ କହିଛନ୍ତି ଯେ ସୂଚନା ଓ ଲୋକସମ୍ପର୍କ ବିଭାଗ ପାଖରୁ ଅନ୍ୟ ଚ୍ୟାନେଲ୍‌ମାନେ ଫିଡ୍‌ ନେଇ ପାରିବେ । ସେମାନେ ନିଜେ ଏହାର ସିଧାପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ । ସେହିଭଳି ରଥଯାତ୍ରାର ସ୍ଥିର ଚିତ୍ର ଉତ୍ତୋଳନ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରାଯିବ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ଗତ ବର୍ଷ ରଥଯାତ୍ରା ବେଳେ ରାଜ୍ୟରେ କରୋନାର ପ୍ରଥମ ଲହର ଚାଲିଥିଲା ।
ଏବେ ରାଜ୍ୟରେ କରୋନାର ଦ୍ୱିତୀୟଲହର ଚାଲିଛି । କିଛି ଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟା କିଛିମାତ୍ରରେ କମ୍‌ ହୋଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ । ଏବେ ବି ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି ଓ ଏହା ଜୁନ୍‌ ୧୭ ତାରିଖରେ ସରିବ ।

ତେବେ ଆଗାମୀ ସପ୍ତାହେ ମଧ୍ୟରେ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଆକଳନ କରାଯାଉଛି । ସ୍ଥିତିକୁ ଦେଖି ସରକାର ୧୭ ତାରିଖ ପରେ ଲକ୍‌ଡାଉନ୍‌ ଉଠାଇବେ ନା ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବେ । ତେବେ ଆସନ୍ତା ୧୭ ତାରିଖ ପରେ କରୋନା ସଂକ୍ରମଣ କମ୍‌ ଥିବା ଜିଲ୍ଲାରେ କଟକଣା କୋହଳ କରାଯାଇ ପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍କେତ ଦେଇଥିଲେ ମଧ୍ୟ ରଥଯାତ୍ରାରେ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରାକୁ ବାରଣ କରାଯାଇଛି ।

Get real time updates directly on you device, subscribe now.