fbpx

ଆଜି ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ, ସ୍ୱତନ୍ତ୍ର ଷ୍ଟଲରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସୋମବାର ଅନୁଷ୍ଠିତ ହୋଇଛି  । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଷାଢ ମାସ ଶୁକ୍ଳକ୍ଷ ଦ୍ୱିତୀୟା ତିଥିରେ ରତ୍ନ ବେଦିରୁ ବାହାରି ଜନ୍ମବେଦୀକୁ ଯାଇଛନ୍ତି ଶ୍ରୀଜିଉ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ସେବାୟତମାନେ ତିନି ଠାକୁରଙ୍କ ରଥକୁ ଟାଣି ଆଣି ଶରଧାବାଲିରେ ପହଞ୍ଚାଇଛନ୍ତି । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କଳାଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ଶରଧାବାଲିରେ ପହଞ୍ଚିଛି । ସୋମବାର ସଂନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ୩ ରଥ ଶରଧାବାଲିରେ ପହଞ୍ଚି ସାରିଥିଲା । ମହାପ୍ରଭୁ ଜଗନ୍ନାଥ ନିଜ ସାଥିରେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଆଣି ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ରଥ ଗଡ଼ିଛି ।

ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତି ବଢ଼ିବ । ମଙ୍ଗଳବାର ଅପରାହ୍ନ ୩ଟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇପାରିବେ ନାହିଁ । ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବାର ଖବର ମିଳିଛି । ଗୁଣ୍ଡିଚା ମନ୍ଦିର ବାହାରେ ଏଥିପାଇଁ ସ୍ୱତନ୍ତ୍ର ଷ୍ଟଲରେ ଭକ୍ତଙ୍କୁ ଅବଢ଼ା ଯୋଗାଇବାକୁ ବ୍ୟବସ୍ଥା କରାଯିବ । ସେହିଭଳି ଶ୍ରୀଗୁଣ୍ଡିଚା ମନ୍ଦିର ଚୌହଦିରେ ପ୍ରବେଶ ଉପରେ କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ।

Get real time updates directly on you device, subscribe now.