ଭୁବନେଶ୍ୱର କୁମାରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ? ଅଶ୍ୱିନ ଦେଲେ ବଡ଼ ବୟାନ
ଆଇପିଏଲ୍ ୨୦୨୬ରେ ୧୬ଟି ମ୍ୟାଚ୍ରୁ ୨୮ଟି ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ ଭୁବନେଶ୍ୱର କୁମାର। ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ମାତ୍ର ଗୋଟିଏ ୱିକେଟ୍ ନେଇ ନିରାଶ କରିଛନ୍ତି।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ରେ ନିଜ ସ୍ୱିଙ୍ଗ୍ ବୋଲିଂରେ ଅନେକ ଥର ବିପକ୍ଷ ବ୍ୟାଟରଙ୍କୁ ଘାଇଲା କରିଥିବା ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।
ଆଇପିଏଲ୍ରେ ଦମଦାର ପ୍ରଦର୍ଶନ ପରେ ଦୀର୍ଘ ଦିନ ବ୍ୟବଧାନରେ ଭାରତୀୟ ଟି-୨୦ ଦଳକୁ ଫେରିଥିଲେ ଏହି ଅଭିଜ୍ଞ ବୋଲର। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ର ଟି-୨୦ ସିରିଜ୍ରେ ତାଙ୍କ ପ୍ରଦର୍ଶନ ନିରାଶାଜନକ ରହିଥିଲା।
ଏହାକୁ ନେଇ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମତରେ, ଭୁବନେଶ୍ୱର ହୁଏତ ଭାରତ ପାଇଁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି।
ଆଇପିଏଲ୍ରେ ଚମକ, ଅନ୍ତର୍ଜାତୀୟ ସିରିଜ୍ରେ ଫିକା: ଆଇପିଏଲ୍ ୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳି ଭୁବନେଶ୍ୱର ନିଜ ବୋଲିଂର ଯାଦୁ ଦେଖାଇଥିଲେ। ୧୬ଟି ମ୍ୟାଚ୍ରେ ୨୮ଟି ୱିକେଟ୍ ନେଇ ସେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ବୋଲର ହୋଇଥିଲେ। ତାଙ୍କର ଏହି ପ୍ରଦର୍ଶନ ହିଁ ତାଙ୍କୁ ପୁଣିଥରେ ଟିମ୍ ଇଣ୍ଡିଆକୁ ଫେରିବାର ଆଶା ଦେଇଥିଲା।
ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ତାଙ୍କ ବୋଲିଂରେ ସେହି ପୁରୁଣା ଧାରା ଦେଖିବାକୁ ମିଳିନଥିଲା। ପ୍ରଥମ ମ୍ୟାଚ୍ରେ ୪ ଓଭର ବୋଲିଂ କରି ୪୯ ରନ୍ ଦେଇଥିଲେ, କିନ୍ତୁ ଗୋଟିଏ ବି ୱିକେଟ୍ ପାଇନଥିଲେ। ଦ୍ୱିତୀୟ ଟି-୨୦ରେ ଡାରିଲ୍ ମିଚେଲଙ୍କ ୱିକେଟ୍ ନେଇଥିଲେ ସତ, ହେଲେ ୫୦ ରନ୍ ବ୍ୟୟ କରିଥିଲେ।
ତୃତୀୟ ମ୍ୟାଚ୍ରେ ୪୦ ରନ୍ ଦେଇ ଖାଲି ହାତରେ ରହିଥିବା ବେଳେ ଚତୁର୍ଥ ମ୍ୟାଚ୍ରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା। ଶେଷ ମ୍ୟାଚ୍ରେ ଫେରିଥିଲେ ମଧ୍ୟ ୪୧ ରନ୍ ଦେଇ କୌଣସି ୱିକେଟ୍ ନେଇପାରିନଥିଲେ।
ଫଳରେ ପୂରା ସିରିଜ୍ରେ ମାତ୍ର ଗୋଟିଏ ୱିକେଟ୍ ଓ ୧୧.୫୦ ଇକୋନୋମି ରେଟ୍ ସହ ସିରିଜ୍ ଶେଷ କରିଥିଲେ ଭୁବନେଶ୍ୱର। ଆଇପିଏଲ୍ରେ ଏତେ ଭଲ ପ୍ରଦର୍ଶନ ପରେ ତାଙ୍କଠାରୁ ଏଭଳି ନିରାଶାଜନକ ବୋଲିଂ ଆଶା କରାଯାଇନଥିଲା।
ବୋଲିଂ ସହ ପ୍ରସ୍ତୁତିକୁ ନେଇ ମଧ୍ୟ ଉଠିଲା ପ୍ରଶ୍ନ: ଅଶ୍ୱିନ କେବଳ ଭୁବନେଶ୍ୱରଙ୍କ ରନ୍ ବ୍ୟୟ ଓ ୱିକେଟ୍ ନେଇନପାରିବାକୁ ନେଇ ଚିନ୍ତା ପ୍ରକାଶ କରିନାହାନ୍ତି, ବରଂ ତାଙ୍କର ବୋଲିଂ ଗତି, ରନ୍ଅପ୍ ଓ ମଇଦାନରେ ତୀବ୍ରତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଆଇପିଏଲ୍ରେ ଯେଉଁ ତୀବ୍ରତା ଓ ଗତିରେ ଭୁବନେଶ୍ୱର ବୋଲିଂ କରୁଥିଲେ, ନ୍ୟୁଜିଲାଣ୍ଡ ସିରିଜ୍ରେ ତାହା ଦେଖିବାକୁ ମିଳିନଥିଲା ବୋଲି ଅଶ୍ୱିନ କହିଛନ୍ତି।
ଅଶ୍ୱିନଙ୍କ କହିବା ଅନୁସାରେ, ସିରିଜ୍ ପୂର୍ବରୁ ଭୁବନେଶ୍ୱରଙ୍କ ପ୍ରସ୍ତୁତି ହୁଏତ ଆବଶ୍ୟକ ସ୍ତରରେ ନଥିଲା। ଆଇପିଏଲ୍ରେ ତାଙ୍କ ବୋଲିଂ ଓ ଅନ୍ତର୍ଜାତୀୟ ସିରିଜ୍ରେ ତାଙ୍କ ପ୍ରଦର୍ଶନ ମଧ୍ୟରେ ଆକାଶ-ପାତାଳ ଫରକ ଥିଲା ବୋଲି ସେ ମତ ଦେଇଛନ୍ତି।
ଅଭିଜ୍ଞତା ହିଁ ହୋଇପାରେ ବାଧା: ଅଶ୍ୱିନ ଆହୁରି କହିଛନ୍ତି ଯେ, ଜଣେ ଯୁବ ଖେଳାଳିଙ୍କୁ ଦଳରେ ନିଜକୁ ପ୍ରମାଣ କରିବା ପାଇଁ ଅଧିକ ସୁଯୋଗ ମିଳିପାରେ। କିନ୍ତୁ ଜଣେ ଅଭିଜ୍ଞ ଅନ୍ତର୍ଜାତୀୟ ଖେଳାଳି ଦଳକୁ ଫେରିଲେ ତାଙ୍କଠାରୁ ତୁରନ୍ତ ଭଲ ପ୍ରଦର୍ଶନର ଆଶା ରଖାଯାଏ। ତେଣୁ ଭୁବନେଶ୍ୱରଙ୍କ ପାଇଁ ପୁଣିଥରେ ଭାରତୀୟ ଦଳକୁ ଫେରିବା ଏବେ କଷ୍ଟକର ହୋଇପାରେ।
ତେବେ ଅଶ୍ୱିନଙ୍କ ଏହି ମନ୍ତବ୍ୟ ଭୁବନେଶ୍ୱରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଥିବାର କୌଣସି ଆଧିକାରିକ ଘୋଷଣା ନୁହେଁ। କିନ୍ତୁ ତାଙ୍କ ପ୍ରଦର୍ଶନ ଓ ଭବିଷ୍ୟତକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ନିଶ୍ଚୟ ବଢ଼ାଇଦେଇଛି।


