ଇମ୍ରାନ ଖାନ୍ ଓ ତାଙ୍କ ପତ୍ନୀଙ୍କୁ ବଡ଼ ଆଶ୍ୱସ୍ତି, କାରାବାସରେ ନ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଇମ୍ରାନ ଖାନ୍ ଓ ବୁଶରା ବିବିଙ୍କୁ ବଡ଼ ଆଶ୍ୱସ୍ତି, ଏକାକୀ କାରାଗାରରେ ରଖିବାକୁ ମନା କଲେ ଇସଲାମାବାଦ ହାଇକୋର୍ଟ

ଓଡ଼ିଶା ଭାସ୍କର ଡେସ୍କ: ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ତାଙ୍କ ପତ୍ନୀ ବୁସ୍ରା ବିବିଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କୋର୍ଟ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉଭୟଙ୍କୁ ଏକକାରାବାସ (Solitary Confinement) ରେ ରଖାଯିବ ନାହିଁ। ଇସଲାମାବାଦ ହାଇକୋର୍ଟର ବିଚାରପତି ଖାଦିମ ହୁସେନ୍ ସୋମ୍ରୋ ଏହି ରାୟ ଶୁଣାଇଛନ୍ତି।

ଜେଲ୍ ପ୍ରଶାସନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶାବଳୀ: ସମ୍ପ୍ରତି ଇମ୍ରାନ ଖାନ୍ ଏବଂ ତାଙ୍କ ପତ୍ନୀ ରାୱଲପିଣ୍ଡିର ଆଦିଆଲା ଜେଲ୍‌ରେ ବନ୍ଦ ଅଛନ୍ତି। କୋର୍ଟ ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଜେଲ୍ ନିୟମ ଅନୁଯାୟୀ ଇମ୍ରାନ ଖାନ୍‌ଙ୍କ ପରିବାର ସଦସ୍ୟଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଉ।

ଏଥିସହ ତାଙ୍କ ପୁଅମାନଙ୍କ ସହିତ ଫୋନ୍‌ରେ କଥା ହେବାର ବ୍ୟବସ୍ଥା କରିବାକୁ ଆଦିଆଲା ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଇମ୍ରାନ ଖାନ୍‌ଙ୍କୁ ପ୍ରତିଦିନ ଖବରକାଗଜ ଏବଂ ପଢ଼ିବା ପାଇଁ ବହି ଯାଗାଇ ଦିଆଯାଉ ଏବଂ ଜେଲ୍ ନିୟମ ଅନୁଯାୟୀ ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ବୋଲିକୋର୍ଟ କହିଛନ୍ତି ।

ଏହି ନିର୍ଦ୍ଦେଶଗୁଡ଼ିକର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ଏବଂ ୧୫ ଦିନ ଭିତରେ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଜେଲ୍ ଅଧୀକ୍ଷକଙ୍କୁ କୁହାଯାଇଛି।

ପରିବାର ଲୋକଙ୍କ ଅଭିଯୋଗ ଅଗଷ୍ଟ ୨୦୨୩ରୁ ଜେଲ୍‌ରେ ଥିବା ଇମ୍ରାନ ଖାନ୍‌ଙ୍କୁ ପରିବାର ସଦସ୍ୟଙ୍କୁ ଭେଟିବାକୁ ଦିଆଯାଉ ନାହିଁ ଏବଂ ତାଙ୍କୁ ଅମାନବୀୟ ପରିସ୍ଥିତିରେ ରଖାଯାଇଛି ବୋଲି ତାଙ୍କ ସମର୍ଥକ ଓ ସମ୍ପର୍କୀୟମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ତେବେ ସରକାର ଏହି ଅଭିଯୋଗଗୁଡ଼ିକୁ କ୍ରମାଗତ ଭାବେ ଖଣ୍ଡନ କରିଆସିଛନ୍ତି।