fbpx

ଆସନ୍ତା ୨୮ରେ ହେବ ରାଜସ୍ଥାନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ!

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବା ନେଇ ଆଭାସ ମିଳିଛି । ତେଣୁ ଏହି ଖବରକୁ ନେଇ ରାଜ୍ୟର ସମସ୍ତ ନେତାଙ୍କ ମଧ୍ୟରେ ଏକପ୍ରକାର ଶିହରଣ ଖେଳିଯାଇଛି । କଂଗ୍ରେସ ମହାସଚିବ କେ.ସି. ବେଣୁଗୋପାଳ ଓ ରାଜ୍ୟ ପ୍ରଭାରୀ ଅଜୟ ମାକନ ପ୍ରଦେଶ କଂଗ୍ରେସର ବୈଠକରେ ସମସ୍ତ ବିଧାୟକଙ୍କୁ ଆସନ୍ତା ୨୮ରେ ଜୟପୁରରେ ରହିବାକୁ କହିଥିବାରୁ ଏହାକୁ ସମସ୍ତେ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ବେଣୁଗୋପାଳ ଓ ମାକନ କଂଗ୍ରେସର ବିଧାୟକମାନଙ୍କ ସହ ସାକ୍ଷାତ କରିଥିଲେ । ପଞ୍ଜାବରେ ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବା ପରେ ଏବେ ରାଜସ୍ଥାନରେ ସମସ୍ତଙ୍କ ନଜର ପାଇଲଟଙ୍କ ଉପରେ ରହିଛି । ଦୀର୍ଘଦିନରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପାଇଲଟଙ୍କୁ ନେଇ ଚାଲିଆସିଥିବା ଶୀତଳଯୁଦ୍ଧର ଯବନିକା ପଡ଼ିବ ବୋଲି ଆଶା କରାଯାଉଛି । ପାଇଲଟ ଗୋଷ୍ଠୀର ବିଧାୟକ ମୁକେଶ ଭାକର ଓ ରାମନିବାସ ଗାବରିଆ କହିଛନ୍ତି ଯେ, ସମଗ୍ର ଦେଶରେ କଂଗ୍ରେସ ଦଳ ପକ୍ଷରୁ ପରିବର୍ତ୍ତନ ଜାରି ରହିଥିବାରୁ ରାଜସ୍ଥାନରେ ସମସ୍ତଙ୍କୁ ନ୍ୟାୟ ମିଳିପାରେ । ତେବେ ଇତିମଧ୍ୟରେ ସମସ୍ତ ଗୋଷ୍ଠୀ କନ୍ଦଳକୁ ଖତମ କରିବା ପାଇଁ ବେଣୁଗୋପାଳ ଓ ମାକନ ଜୟପୁରରେ ପହଞ୍ଚିଛନ୍ତି । ଗତକାଲି ଦୁହେଁ ଗେହଲଟଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ଗେହଲଟ ଓ ଏଇ ଦୁଇ ରାଷ୍ଟ୍ରୀୟ ନେତାଙ୍କ ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନକୁ ନେଇ ପ୍ରାୟ ଅଢ଼େଇ ଘଣ୍ଟା ବୈଠକ ଚାଲିଥିଲା । ଏହି ଅବସରରେ ଗେହଲଟ କହିଥିଲେ ଯେ, ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ସମସ୍ତ ନିଷ୍ପତ୍ତି ସୋନିଆ ଗାନ୍ଧିଙ୍କ ଉପରେ ନିର୍ଭର କରୁଛି । ତେଣୁ ଗେହଲଟଙ୍କ ଏହି ସହମତି ପରେ ସୋନିଆ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଚଳିତ ମାସରେ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.