fbpx

ଆପାର୍ଟମେଣ୍ଟ ବିକ୍ରି ଉପରୁ ହଟିଲା କଟକଣା: ଏଣିକି କାର୍ଯ୍ୟକାରୀ ହେବ ଓଡ଼ିଶା ରିୟଲ ଇଷ୍ଟେଟ ସଂଶୋଧିତ ରୁଲ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟରେ ଆପାର୍ଟମେଣ୍ଟ କିଣୁଥିବା ଲୋକଙ୍କୁ ସୁରକ୍ଷା ମିଳିବ । ଓଡ଼ିଶା ରିୟଲ ଇଷ୍ଟେଟ ନିୟମ-୨୦୧୭ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏବେ ଓଡ଼ିଶା ରିୟଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ) ସଂଶୋଧିତ ରୁଲସ-୨୦୨୨ କାର୍ଯ୍ୟକାରୀ ହେବ । ନିୟମ ଅନୁଯାୟୀ, ଆପାର୍ଟମେଣ୍ଟ ବା ଘର ନିର୍ମାତା ପ୍ରକଳ୍ପ ସମାପ୍ତ ହେବାର ଧାର୍ଯ୍ୟ ତାରିଖ ପରେ କ୍ରେତାଙ୍କଠାରୁ କୌଣସି ଅତିରିକ୍ତ ଦେୟ ନେଇ ପାରିବେ ନାହିଁ ।

ଏଥିସହିତ ଆପାର୍ଟମଣ୍ଟରେ ଥିବା ସାର୍ବଜନିନ ସ୍ଥାନକୁ କିଣୁଥିବା ଲୋକ ଭାଗ କରି ନିଜ ଦଲଖକୁ ନେଇ ପାରିବ ନାହିଁ । ସ୍ୱୀକୃତିପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ ଅକୁପ୍ୟାନ୍ସି ପ୍ରମାଣପତ୍ର ପାଇବା ପରେ ପ୍ରମୋଟର ଆପାର୍ଟମେଣ୍ଟ ଆସୋସିଏସନକୁ ଉକ୍ତ ସାର୍ବଜନିନ ଅଞ୍ଚଳକୁ ପ୍ରଦାନ କରିବେ । ଯେଉଁ ବ୍ୟକ୍ତି ଘର କିଣିବା ପାଇଁ ରେଜିଷ୍ଟ୍ରେସନ କରିଥିବେ, ସେ ନିର୍ମାଣ ସମୟରେ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖି ପାରିବେ ।

ଘର ବିକିବା ପାଇଁ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ପ୍ରମୋଟରମାନେ କ୍ରେତାଙ୍କ ସହ ଏଗ୍ରିମେଣ୍ଟ କରିବେ । ନୂତନ ନିୟମକୁ ଫଲୋ କରି ଗ୍ରାହକଙ୍କୁ ଘର ବିକିବା ପୂର୍ବରୁ ପଞ୍ଜିକରଣ କରିବାକୁ ଓଡ଼ିଶା ରିୟଲ ଇଷ୍ଟେଟ ନିୟାମକ ପ୍ରାଧିକରଣ (ଓରେରା)କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୬ ମାସ ଧରି ଆପାର୍ଟମେଣ୍ଟ ବିକ୍ରି ଉପରେ ଲାଗିଥିବା ରୋକ ହଟିଯାଇଛି । ଏବେ ଆପାର୍ଟମେଣ୍ଟ ବିକ୍ରି ନେଇ ପଞ୍ଜିକରଣ ହୋଇପାରିବ । ଗତ ମେ ମାସ ୧୨ ତାରିଖରେ ହାଇକୋର୍ଟରେ ଏ ବାବଦରେ ଏକ ମାମଲା ଦାୟର ହୋଇଥିଲା । ତା’ପରଠାରୁ ଆପାର୍ଟମେଣ୍ଟ ବିକ୍ରି କରିବା ସମ୍ଭବପର ହୋଇ ପାରୁନଥିଲା ।

Get real time updates directly on you device, subscribe now.