fbpx

ବେଲଗାମ୍ ଦରଦାମ: ଭାଙ୍ଗିଲା ୮ ବର୍ଷର ରେକର୍ଡ, ଅନିୟନ୍ତ୍ରିତ ସ୍ଥିତିରେ ମୁଦ୍ରାସ୍ଫୀତି!

ନୁଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ପୀତି ୭.୭୯% ଛୁଇଁଛି । ସେହିପରି ସାମଗ୍ରିକ ଖାଦ୍ୟ ମୁଦ୍ରାସ୍ଫୀତି ୮.୩୮% ରେ ପହଞ୍ଚିଛି । ଯାହା ଦେଶର ଲୋକଙ୍କ ପକେଟକୁ ଶୋଷିବାରେ ଲାଗିଛି । ଖାଦ୍ୟସାମଗ୍ରୀର ଦରଦାମ ବହୁମାତ୍ରାରେ ବଢ଼ିଯିବାରୁ ଏପରି ସ୍ଥିତି ଉପୁଜିଛି । ଯାହା ମୁଖ୍ୟତଃ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ହେତୁ ହୋଇଥାଏ । ତୈଳ ଦର ବୃଦ୍ଧିକୁ କେନ୍ଦ୍ର କରି ସମସ୍ତ ଅତ୍ୟାବଶ୍ୟକ ଜିନିଷ ଦରଦାମରେ ଲଗାମ ରହୁନାହିଁ ।

ଗତ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ପୀତି ୬.୯୫% ଥିବାବେଳେ ଏପ୍ରିଲ ମାସରେ ଏହା ୭.୭୯% କୁ ବୃଦ୍ଧି ପାଇଛି । ଯାହା ୨୦୧୪ରେ ମୁଦ୍ରାସ୍ପୀତି ୮.୩୩% ଛୁଇଁବା ପରଠୁ ଏହା ସର୍ବାଧିକ । ସେହିପରି ଏପ୍ରିଲ ମାସରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ୮.୩୩% କୁ ବୃଦ୍ଧି ପାଇଛି ଯାହା ମାର୍ଚ୍ଚ ମାସରେ ୭.୬୬% ଥିଲା । ଏବଂ ସହରାଞ୍ଚଳରେ ମୁଦ୍ରାସ୍ପୀତି ୭.୦୯% ଛୁଇଁଛି ଯାହା ମାର୍ଚ୍ଚରେ ୬.୧୨% ଥିଲା । ଏହା ସହିତ କ୍ରମାଗତ ଚତୁର୍ଥ ମାସ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହନଶୀଳତା ସ୍ତରରୁ ଖୁଚୁରା ମୁଦ୍ରାସ୍ଫୀତି ୬% ଉପରେ ରହିଛି।

ମୋଟାମୋଟି ଭାବରେ ଏପ୍ରିଲରେ ସାମଗ୍ରିକ ଖାଦ୍ୟ ମୁଦ୍ରାସ୍ଫୀତି ୮.୩୮% ଥିଲା, ଯାହା ମାର୍ଚ୍ଚ ମାସରେ ୭.୬୮% ଏବଂ ଏପ୍ରିଲ୍ ୨୦୨୧ ରେ ୧.୯୬% ଥିଲା। ଦେଶରେ ବଢ଼ୁଥିବା ଦରଦାମକୁ ଦୃଷ୍ଟିରେ ରଖି ୨୦୧୮ ପରଠାରୁ ପ୍ରଥମ ଥର ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ରେପୋ ରେଟକୁ ୪୦ ବେସିସ୍ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.