ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ; ରାଜସ୍ୱ ମନ୍ତ୍ରୀ
ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନ ପ୍ରଭାବିତ ହୋଇଛି। ତେବେ ମହାନଦୀ, ଦେବୀ, ଜଳକା, କୁଶଭଦ୍ରା, ଋଷିକୂଲ୍ୟା, ଇବ୍ ଆଦି ନଦୀର ଜଳସ୍ତର ବିପଦ ସ୍ତରଠୁଁ କମ୍ ଅଛି
ଭୁବନେଶ୍ୱର: ବୈତରଣୀ ଅବବାହିକାରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ତେଣୁ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର।
ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ବୈତରଣୀ ନଦୀର ବର୍ତ୍ତମାନ ଜଳସ୍ତର, ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତି, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଓ ଜନସଂଖ୍ୟା, ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ ପରିଚାଳନା, ରିଲିଫ ସାମଗ୍ରୀର ମହଜୁଦ ଏବଂ ଉଦ୍ଧାରକାରୀ ଦଳର ନିୟୋଜନ ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା।
ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନ ପ୍ରଭାବିତ ହୋଇଛି। ତେବେ ମହାନଦୀ, ଦେବୀ, ଜଳକା, କୁଶଭଦ୍ରା, ଋଷିକୂଲ୍ୟା, ଇବ୍ ଆଦି ନଦୀର ଜଳସ୍ତର ବିପଦ ସ୍ତରଠୁଁ କମ୍ ଅଛି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ଅଛି। କୌଣସି ପ୍ରକାର ବିପଦ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କୌଣସି ଜଣେ ଲୋକକୁ ମଧ୍ୟ ସ୍ଥାନାନ୍ତରଣ କିମ୍ବା ସହାୟତା ଆବଶ୍ୟକ ଥିଲେ, ତାହାକୁ ଗୁରୁତ୍ଵର ସହିତ ଦୃଷ୍ଟିରେ ରଖି ସହଯୋଗ ଯୋଗାଇ ଦେବାକୁ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି; ଆନନ୍ଦପୁର ଓ କୁଆପଡାଠାରେ ବୈତରଣୀ ନଦୀରେ ଜଳସ୍ତର ଅପେକ୍ଷାକୃତ ବୃଦ୍ଧି ଘଟିଥିଲେ ମଧ୍ୟ ବିପଦ ସ୍ତରଠୁଁ ଖୁବ୍ କମ୍ ଅଛି। ବିଭିନ୍ନ ନଦୀର ଜଳପତ୍ତନ ସ୍ତର ଉପରେ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି। ତେବେ ଏପର୍ୟ୍ୟନ୍ତ ଲଗାଣ ବର୍ଷାରେ ବିଶେଷ ଭାବେ କୌଣସି ବ୍ୟକ୍ତି କିମ୍ବା ଘର କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି। ବିଭିନ୍ନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ସହିତ ସମନ୍ଵୟ ରକ୍ଷା ସହ କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି; କେତେକ ଅଞ୍ଚଳରେ ଚାଷଜମି କ୍ଷତିଗ୍ରସ୍ତ ହେବାର ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷା ଯୋଗୁ ଚାଷଜମି କ୍ଷତିଗ୍ରସ୍ତ ହେଲେ ଜିଲ୍ଲାପ୍ରଶାସନକୁ ତାହାର ସର୍ଭେ ଓ କ୍ଷତି ଆକଳନ କରି ବିପର୍ୟ୍ୟୟ ପରିଚାଳନା ବିଭାଗକୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କ୍ଷୟକ୍ଷତିର ଚବିଶ ଘଣ୍ଟା ପୂରଣ ହେବା ପୂର୍ବରୁ ହିଁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଳସ୍ତର ହ୍ରାସ ପରେ ସମ୍ଭାବ୍ୟ ସାପ କାମୁଡ଼ା ଜନିତ ବିପଦ ହ୍ରାସ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଡାକ୍ତରଖାନାରେ ଆଣ୍ଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ଆଲୋଚନା କରାଯାଇଛି।
ଆଜିର ବୈଠକରେ ସ୍ଵତନ୍ତ୍ର ସହାୟତା ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ୍, ଅତିରିକ୍ତ ସ୍ଵତନ୍ତ୍ର ସହାୟତା ଆୟୁକ୍ତ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


