ନିୟନ୍ତ୍ରଣ ହରାଇଲା କଣ୍ଟେନର: ବାଇକ୍କୁ ଧକ୍କା ଦେଇ ଅଟୋ ଉପରେ ଓଲଟି ପଡ଼ିଲା
ଚନ୍ଦୱା ଥାନା ଅଞ୍ଚଳର ଲୋହରଦଗା-ଚନ୍ଦୱା ମୁଖ୍ୟ ରାସ୍ତାର ଲୁକୁଇୟା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର ପ୍ରଥମେ ଏକ ବାଇକ୍କୁ ଧକ୍କା ଦେଇଥିଲା
ରାଞ୍ଚି: ନିୟନ୍ତ୍ରଣ ହରାଇଲା କଣ୍ଟେନର। ପ୍ରଥମେ ବାଇକ୍କୁ କୁଟିଲା। ତା’ପରେ ଅଟୋ ଉପରେ ଓଲଟି ପଡ଼ିଲା। ବିଚ ରାସ୍ତାରେ ଚାଲିଗଲା ୭ ଜୀବନ। ଆଜି ଏପରି ଭୟଙ୍କର ଦୁର୍ଘଟଣା ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ଘଟିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଚନ୍ଦୱା ଥାନା ଅଞ୍ଚଳର ଲୋହରଦଗା-ଚନ୍ଦୱା ମୁଖ୍ୟ ରାସ୍ତାର ଲୁକୁଇୟା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର ପ୍ରଥମେ ଏକ ବାଇକ୍କୁ ଧକ୍କା ଦେଇଥିଲା। ତା’ପରେ ଯାତ୍ରୀ ଧରି ଆସୁଥିବା ଅଟୋ ଉପରେ କଣ୍ଟେନରଟି ଓଲଟି ପଡ଼ିଥିଲା। ଯାହାଫଳରେ କଣ୍ଟେନର ତଳେ ବାଇକ୍ ଓ ଅଟୋ ଚାପି ହୋଇଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ଖବର ପାଇ ପୋଲିସ ଓ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।
ହାଇଡ୍ରା ମେସିନ ସାହାଯ୍ୟରେ କଣ୍ଟେନର ହଟାଗଲା: କଣ୍ଟେନରଟି ବହୁତ ଓଜନିଆ ଥିବାରୁ ଉଠାଇ ହୋଇନଥିଲା। ତେଣୁ ହାଇଡ୍ରା ମେସିନ୍ର ସହାୟତା ନିଆଯାଇଥିଲା। ଦୀର୍ଘ ସମୟର ଉଦ୍ୟମ ପରେ କଣ୍ଟେନରଟିକୁ ଉଠା ଯାଇଥିଲା। ସେତେବେଳକୁ ଅଟୋରେ ଥିବା ଯାତ୍ରୀ ଓ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା।
ମିଳିଥିବା ସୂଚନା ଅନୁସାରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚନ୍ଦୱା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ହେଲେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ପରିସ୍ଥିତିକୁ ଲକ୍ଷ୍ୟକଲେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି।
ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ପୋଲିସ ତାହାର ତଦନ୍ତ କରୁଛି। ପ୍ରାଥମିକ ଯାଞ୍ଚରୁ କଣ୍ଟେନର ବେଗ ଅଧିକ ଥିବାରୁ ନିୟନ୍ତ୍ରଣ ହରାଇବା ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା କଣ୍ଟେନର ଚାଳକ ଫେରାର ହୋଇଯାଇଛି। ତାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ମୃତକଙ୍କ ପରିଚୟ ମିଳିପାରିନି।


