fbpx

ଚିକିତ୍ସା କ୍ଷେତ୍ରରେ ଓଡ଼ିଶାରେ ପ୍ରଥମ ଘଟଣା: ମଣିଷ ନୁହେଁ, ରୋବୋଟ୍ କଲା ଆଣ୍ଠୁ ପ୍ରତ୍ୟାରୋପଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମେଡିକାଲ ସାଇନ୍ସ ଆଗକୁ ବଢ଼ିବାରେ ଲାଗିଛି । ଏହାଦ୍ୱାରା ବହୁ ଜଟିଳ ରୋଗରୁ ଡାକ୍ତରମାନେ ରୋଗୀଙ୍କୁ ବଞ୍ଚାଇ ପାରୁଛନ୍ତି । ତେବେ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ଏକ ବଡ଼ ସଫଳତା ମିଳିଛି । ରାଜ୍ୟର ସମ୍ ହସ୍ପିଟାଲରେ ପ୍ରଥମ ଥର ପାଇଁ ରୋବୋଟ୍ ଦ୍ୱାରା ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି ।

ତେବେ ରୋବୋଟିକ୍ ପ୍ରକ୍ରିୟାରେ ଅସ୍ତ୍ରୋପଚାର କରାଯିବା ଅଧିକ ସଫଳତା ପ୍ରଦାନ କରୁଛି । ତେଣୁ ଆଗାମୀ ଦିନରେ ଆଣ୍ଠୁ ପ୍ରତ୍ୟାରୋପଣ କ୍ଷେତ୍ରରେ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ସାଜିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି ଅସ୍ତ୍ରୋପଚାର ପ୍ରକ୍ରିୟାରେ ରୋଗୀଙ୍କୁ ଆରାମ ଲାଗିବା ସହିତ ଏହା ସଠିକ୍ ପ୍ରଣାଳୀରେ ସମ୍ପାଦିତ ହୋଇଥାଏ । ନୂଆଦିଲ୍ଲୀ ସ୍ଥିତ ସନ୍ଥ ପରମାନନ୍ଦ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ଆଣ୍ଠୁ ପ୍ରତ୍ୟାରୋପଣ ବିଶେଷଜ୍ଞ ଡାକ୍ତର ଶେଖର ଶ୍ରୀବାସ୍ତବଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।

ତେବେ ପାରମ୍ପରିକ ଅସ୍ତ୍ରୋପଚାରଠାରୁ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କ୍ଷେତ୍ରରେ ଅଧିକ ୧୦-୧୫ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥାଏ । ତେବେ ଏହି ପ୍ରକିୟା ଦ୍ୱାରା ଅସ୍ତ୍ରୋପଚାରରେ ଦେଖାଯାଉଥିବା ମନୁଷ୍ୟକୃତ ତ୍ରୁଟିର ମାତ୍ରା ହ୍ରାସ ପାଇବ । ପୂର୍ବରୁ ରୋଗୀମାନେ ଏହି ଅସ୍ତ୍ରୋପଚାର ପରେ ୩-୪ ବର୍ଷ ଧରି କଷ୍ଟ ଅନୁଭବ କରୁଥିଲେ । ମାତ୍ର ରୋବୋଟ୍ ଅସ୍ତ୍ରୋପଚାର ପ୍ରକ୍ରିୟାରେ ରୋଗୀକୁ କମ୍ କଷ୍ଟ ସହିବାକୁ ପଡ଼ିଥାଏ । ଏହି ପ୍ରକ୍ରିୟାରେ ରୋଗୀର ଆଣ୍ଠୁ ଚାରିପଟେ ଥିବା ସୂକ୍ଷ୍ମ କୋଷିକା ନଷ୍ଟ ହେବାର ସମ୍ଭାବନା କମ୍ ଥାଏ । ଅସ୍ତ୍ରୋପଚାର ପରେ ରୋଗୀ ପୂର୍ବ ପରି ଦୈନନ୍ଦିନ କାର୍ଯ୍ୟ କରିପାରିବ ବୋଲି ଡାକ୍ତରମାନେ କହିଛନ୍ତି ।

Get real time updates directly on you device, subscribe now.