’ମୁଁ ଖେଳିବା ଛାଡ଼ିଦେବି..’, ସନ୍ୟାସ ଗୁଜବ ଭିତରେ ଚର୍ଚ୍ଚା ବଢ଼େଇଲା ରୋହିତଙ୍କ ପୋଷ୍ଟ, କ୍ରିକେଟ ଛାଡ଼ିବା ନେଇ ଦେଲେ ବଡ଼ ବୟାନ

’ମୁଁ ଖେଳିବା ଛାଡ଼ିଦେବି..’, ସନ୍ୟାସ ଗୁଜବ ଭିତରେ ଚର୍ଚ୍ଚା ବଢ଼େଇଲା ରୋହିତଙ୍କ ପୋଷ୍ଟ

ଓଡ଼ିଶା ଭାସ୍କର ଡେସ୍କ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୁଲାଇ ୧୯ ତାରିଖରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ ପରେ ନିଜର ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରକୁ ଅଲବିଦା କହିପାରନ୍ତି ।

ଅର୍ଥାତ୍ ଲର୍ଡସ ମୈଦାନରେ ରୋହିତ ନିଜ ଜୀବନର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ବୋଲି ଦାବି କରାଯାଉଛି । ତେବେ ଏହି ସମ୍ପର୍କରେ ରୋହିତ ଶର୍ମା କିମ୍ବା ବିସିସିଆଇ ପକ୍ଷରୁ କୌଣସି ଆଧିକାରିକ ସୂଚନା ମିଳିନାହିଁ ।

ରୋହିତଙ୍କ ଅବସରକୁ ନେଇ ଗୁଜବ ସୃଷ୍ଟି ହେବା ଏହା ପ୍ରଥମ ଘଟଣା ନୁହେଁ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟାଇଟଲ୍ ଜିତିବା ପରେ ମଧ୍ୟ ତାଙ୍କ ଅବସରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏହାପୂର୍ବରୁ ଚଳିତ ବର୍ଷ ମେ ୭ ତାରିଖରେ ସେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ଟେଷ୍ଟ୍ କ୍ରିକେଟ୍ ଛାଡ଼ିବା ପରେ ସେ କହିଥିଲେ ଯେ, ଯେଉଁଦିନ ତାଙ୍କ ମନ କହିବ ‘ବସ ଆଉ ନୁହେଁ’, ସେହିଦିନ ସେ କ୍ରିକେଟ୍‌କୁ ସମ୍ପୂର୍ଣ୍ଣ ବିଦାୟ ଦେବେ ।

Uttarakhand Govt.

ଅବସର ନେଇ ରୋହିତଙ୍କ ବୟାନ: ଗତବର୍ଷ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବା ପରେ ଏକ ସାକ୍ଷାତକାରରେ ରୋହିତ ଶର୍ମା କହିଥିଲେ, “ଯେଉଁଦିନ ମୋତେ ଲାଗିବ ଯେ ମୁଁ ପଡ଼ିଆ ଭିତରେ ସେହିଭଳି ପ୍ରଦର୍ଶନ କରିପାରୁନାହିଁ ଯାହା ମୁଁ କରିବାକୁ ଚାହୁଁଛି, ସେହିଦିନ ମୁଁ ଖେଳିବା ଛାଡ଼ିଦେବି । କିନ୍ତୁ ବର୍ତ୍ତମାନ ପାଇଁ ମୋର ବିଶ୍ୱାସ ଯେ ମୁଁ ଯାହା କରୁଛି ତାହା ଦଳ ପାଇଁ ସହାୟକ ହେଉଛି ।”

ସତରେ ଅବସର ନେବେ କି ରୋହିତ: ଏହି ସମଗ୍ର ଚର୍ଚ୍ଚା ପଛର ଅସଲ କାରଣ ହେଉଛି ‘ଦି ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତା ମାନେ ରୋହିତ ଶର୍ମାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ, ସେ ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ସାମିଲ ନାହାନ୍ତି ।

ସିଲେକ୍ଟର୍ସମାନେ ଆଗାମୀ ବିଶ୍ୱକପ୍‌ ପାଇଁ ଯୁବ ଓପନର ଯଶସ୍ୱୀ ଜସୱାଲଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି, ଯିଏକି ଦୀର୍ଘ ଦିନ ହେବ ନିଜ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି ।

ତେବେ ଏହି ରିପୋର୍ଟରେ କେତେ ସତ୍ୟତା ରହିଛି ଏବଂ ରୋହିତ ସତରେ ଲର୍ଡସ ମ୍ୟାଚ୍ ପରେ ଦିନିକିଆ କ୍ରିକେଟକୁ ବାଏ ବାଏ କହିବେ କି ନାହିଁ, ତାହା ରବିବାର ମ୍ୟାଚ୍ ପରେ ହିଁ ସ୍ପଷ୍ଟ ହେବ ।