ଆଜି ରୋହିତ ଶର୍ମାଙ୍କ ଶେଷ ଦିନ! BCCI ବୈଠକରେ ହେବ ଭବିଷ୍ୟତ ନିଷ୍ପତ୍ତି, ୨୦୨୭ ବିଶ୍ୱକପ୍…
ଅଧାରେ ଝୁଲିଛି ରୋହିତ ଶର୍ମାଙ୍କ କ୍ୟାରିୟର। ଆଜି ଶେଷ ନିଷ୍ପତ୍ତି!
ମୁମ୍ୱାଇ: ଭାରତୀୟ କ୍ରିକେଟ୍କୁ ନେଇ ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଆଜି ଅର୍ଥାତ୍ ୩ ସେପ୍ଟେମ୍ବରରେ BCCI ପକ୍ଷରୁ ଏକ ବଡ଼ ରିଭ୍ୟୁ ମିଟିଂ ଡକାଯାଇଛି। ଏହି ବୈଠକରେ ଟିମ୍ ଇଣ୍ଡିଆର ସାମ୍ପ୍ରତିକ ପ୍ରଦର୍ଶନଠାରୁ ଆରମ୍ଭ କରି ଆଗାମୀ ୨୦୨୭ ODI ବିଶ୍ୱକପ୍ ପାଇଁ ଦଳର ଯୋଜନା ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମାନସମନ୍ଥନ ହେବାର ଖବର ଆସିଛି।
ସବୁଠାରୁ ବଡ଼ କଥା ହେଉଛି, ଏହି ବୈଠକରେ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର୍ ରୋହିତ ଶର୍ମାଙ୍କ ODI ଭବିଷ୍ୟତକୁ ନେଇ ମଧ୍ୟ ଆଲୋଚନା ହୋଇପାରେ। ତେଣୁ ବୈଠକ ଉପରେ ଏବେ କ୍ରିକେଟ୍ପ୍ରେମୀଙ୍କ ନଜର ରହିଛି।
ରୋହିତଙ୍କ ଭବିଷ୍ୟତ ନେଇ କ’ଣ ହେବ: ରୋହିତ ଶର୍ମାଙ୍କ ଅବସରକୁ ନେଇ ଗତ ମାସରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଇଂଲଣ୍ଡ ବିପକ୍ଷ ଲର୍ଡସ୍ ODI ପରେ ରୋହିତ ଅବସର ନେଇପାରନ୍ତି ବୋଲି ଦାବି ହୋଇଥିଲା। ଏପରିକି ୨୦୨୭ ବିଶ୍ୱକପ୍ ଯୋଜନାରେ ତାଙ୍କୁ ସାମିଲ କରାଯିବ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।
ହେଲେ ପରେ ରୋହିତଙ୍କ ଅବସରକୁ ନେଇ ସ୍ଥିତି ବଦଳିଥିଲା। ଏବେ ପୁଣି ତାଙ୍କ ODI କ୍ୟାରିୟର ଏବଂ ୨୦୨୭ ବିଶ୍ୱକପ୍ ଯୋଜନାରେ ତାଙ୍କ ସ୍ଥାନକୁ ନେଇ BCCI ବୈଠକରେ ଆଲୋଚନା ହୋଇପାରେ।
ଲର୍ଡସ୍ରେ ରୋହିତଙ୍କ ଐତିହାସିକ ଶତକ: ଇଂଲଣ୍ଡ ବିପକ୍ଷ ODI ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ରେ ରୋହିତ ଯଥାକ୍ରମେ ୧୧ ଓ ୨୬ ରନ୍ କରିଥିଲେ। ଏହା ପରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଥିଲା।
କିନ୍ତୁ ତୃତୀୟ ODIରେ ରୋହିତ ଦମଦାର ପ୍ରତ୍ୟାବର୍ତ୍ତନ କରି ୧୩୮ ରନ୍ର ଐତିହାସିକ ଶତକ ହାସଲ କରିଥିଲେ। ଲର୍ଡସ୍ ମଇଦାନରେ ODI ଶତକ ହାସଲ କରିଥିବା ସେ ପ୍ରଥମ ଭାରତୀୟ କ୍ରିକେଟର୍ ହୋଇଥିଲେ।
ତେବେ ଏହି ଶତକ ପରେ ମଧ୍ୟ ୨୦୨୭ ବିଶ୍ୱକପ୍ ପାଇଁ ରୋହିତଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ କି ନାହିଁ, ସେନେଇ ସ୍ପଷ୍ଟତା ଆସିନାହିଁ।
ଅଗରକରଙ୍କ ଭବିଷ୍ୟତ ଉପରେ ବି ନଜର: ରୋହିତଙ୍କ ସହ ଚିଫ୍ ସିଲେକ୍ଟର ଅଜିତ ଅଗରକରଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳ ସେପ୍ଟେମ୍ବର ୨୦୨୬ରେ ଶେଷ ହେବାକୁ ଥିବାରୁ, ତାଙ୍କୁ ଆଉ ଏକ ବର୍ଷ ପାଇଁ ଦାୟିତ୍ୱରେ ରଖାଯିବ କି ନାହିଁ, ସେନେଇ ଆଲୋଚନା ହୋଇପାରେ।
କିଏ କିଏ ରହିପାରନ୍ତି ବୈଠକରେ: ମୁମ୍ବାଇରେ ହେବାକୁ ଥିବା ଏହି ରିଭ୍ୟୁ ମିଟିଂରେ BCCI ସଚିବ ଦେବଜିତ ସାଇକିଆ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ଚିଫ୍ ସିଲେକ୍ଟର ଅଜିତ ଅଗରକର ଏବଂ ସେଣ୍ଟର ଅଫ୍ ଏକ୍ସଲେନ୍ସର ମୁଖ୍ୟ VVS ଲକ୍ଷ୍ମଣ ଯୋଗ ଦେବାର ଖବର ରହିଛି। ଅଧିନାୟକ ଶୁଭମନ ଗିଲ୍ ଓ ଶ୍ରେୟସ ଆୟର ମଧ୍ୟ ବୈଠକରେ ଯୋଗ ଦେଇପାରନ୍ତି।
ଆୟର୍ଲାଣ୍ଡ ଓ ଇଂଲଣ୍ଡରେ ପ୍ରଦର୍ଶନ ବି ହେବ ସମୀକ୍ଷା: ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳର ନିରାଶାଜନକ ପ୍ରଦର୍ଶନ ମଧ୍ୟ ବୈଠକର ଏକ ବଡ଼ ବିଷୟ ହୋଇପାରେ। ଏହା ସହିତ ଖେଳାଳିଙ୍କ ଫିଟନେସ୍, ଇଞ୍ଜୁରି ମ୍ୟାନେଜମେଣ୍ଟ, ଚୟନ ପ୍ରକ୍ରିୟା ଏବଂ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ସମନ୍ୱୟ ଉପରେ ମଧ୍ୟ ଆଲୋଚନା ହୋଇପାରେ।
୨୦୨୭ ବିଶ୍ୱକପ୍ ପୂର୍ବରୁ ବଡ଼ ପ୍ଲାନ୍:
ଭାରତୀୟ କ୍ରିକେଟ୍ ଦଳ ଏବେ ୨୦୨୭ ODI ବିଶ୍ୱକପ୍କୁ ନଜରରେ ରଖି ଆଗକୁ ବଢ଼ୁଛି। ତେଣୁ ଦଳର ସିନିୟର ଖେଳାଳି, ଯୁବ ଖେଳାଳି, ଅଧିନାୟକତ୍ୱ ଏବଂ ଚୟନ ନେଇ ଏହି ବୈଠକର ନିଷ୍ପତ୍ତି ଆଗାମୀ ଦିନରେ ବେଶ୍ ପ୍ରଭାବ ପକାଇପାରେ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ ରୋହିତ ଶର୍ମା ୨୦୨୭ ବିଶ୍ୱକପ୍ ଖେଳିବେ କି ନାହିଁ? ଏହା ଉପରେ BCCI କିଛି ସ୍ପଷ୍ଟ ସଙ୍କେତ ଦେବ କି, ତାହା ଉପରେ ସମସ୍ତଙ୍କ ନଜର।


