ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ଡବଲ୍ ବିଲ୍‌: ଖାଇଗଲେ ୫୦ ଲକ୍ଷରୁ ଅଧିକ ଟଙ୍କା!

ଅଭିଯୋଗ ଅନୁସାରେ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଅର୍ଥ ଓ ପେଣ୍ଡିଂ ଛୁଟି ବାବଦ ଟଙ୍କା ଉଠାଇବା ପାଇଁ ବିଲ୍ ପ୍ରସ୍ତୁତ କରାଯାଇଛି।

ଅନୁଗୁଳ: ସରକାରୀ ଟଙ୍କା ହଡ଼ପ ପାଇଁ ନୂଆ ଚାଲ୍‌! ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ଡବଲ୍ ବିଲ୍ କରି ୫୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରୁ ଆସିଛି। ଅନୁଗୁଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଅଡିଟ୍ ବେଳେ ଏହି ସନ୍ଦେହଜନକ କାରବାର ଧରାପଡ଼ିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଅର୍ଥ ଓ ପେଣ୍ଡିଂ ଛୁଟି ବାବଦ ଟଙ୍କା ଉଠାଇବା ପାଇଁ ବିଲ୍ ପ୍ରସ୍ତୁତ କରାଯାଇଛି। ଏହି ବିଲ୍ ଗୁଡ଼ିକରେ କର୍ମଚାରୀଙ୍କ ନାଁ ସମାନ ଥିବାବେଳେ ବ୍ୟାଙ୍କ ଆକାଉଣ୍ଟ ନମ୍ବର କିନ୍ତୁ ଅଲଗା ରହିଥିବା ଅଡିଟ୍ ସମୟରେ ଜଣାପଡ଼ିଛି। ଯାହାଫଳରେ ଗୋଟିଏ ନାଁରେ ଏକାଧିକ ବିଲ୍ କରି ସରକାରୀ ଅର୍ଥ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ସନ୍ଦେହ ହୋଇଛି।

ଏହି ଅନିୟମିତତା ସାମ୍ନାକୁ ଆସିବା ପରେ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ଓ ଡିଭିଜନାଲ୍ ଫରେଷ୍ଟ ଅଫିସର୍ (ଡିଏଫ୍‌ଓ)ଙ୍କୁ ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ପାଇଁ ବନ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି। କେତେ ଟଙ୍କାର ଅନିୟମିତତା ହୋଇଛି? ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି? ତାହାର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।