ମୋ ଜନ୍ମ ବେଳେ ମାଆ ପାଇଥିଲେ ବହୁ ଯନ୍ତ୍ରଣା… ଆଜି ନିଜେ ଅନୁଭବ କରୁଛି ବେଦନା…

ରୁବିନାଙ୍କ ଜନ୍ମ ହିମାଚଳପ୍ରଦେଶର ଏକ ପାହାଡ଼ି ଗାଁରେ ହୋଇଛି। କିନ୍ତୁ ତାଙ୍କ ପାଠ ପଢ଼ା ସିମଲାରେ ହୋଇଛି

ମୁମ୍ବାଇ: ମୁଁ ଗୁହାଳରେ ଜନ୍ମ ହୋଇଛି। ଜନ୍ମ ବେଳେ ମୋ ମାଆଙ୍କ ପାଖରେ କେହି ନଥିଲେ। ପ୍ରସବ ପରେ ସେ ନିଜେ ବ୍ଲେଡ଼୍‌ରେ ମୋ ନାଭି କାଟିଥିଲେ। ଆଜି ଏମିତି କହିଛନ୍ତି ଟେଲିକ୍ୱିନ୍ ରୁବିନା ଦିଲୈକ୍।

ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ରୁବିନା ଦିଲୈକ୍। ସେ ଅନେକ ମେଗା ଧାରାବାହିକରେ ବୋହୂ ଚିରିତ୍ରରେ ନିଜର ଅଭିନୟର ଯାଦୁ ଦେଖାଛନ୍ତି। ଆଉ ଦର୍ଶକଙ୍କ ଆଖିରେ ଲୁହ ଭରିଛନ୍ତି। ଆଜି ସିଏ ନିଜ ଛାତି ତଳେ ଚାପି ରଖିଥିବା କୋହକୁ ପରିପ୍ରକାଶ କରିଛନ୍ତି। ଗଣମାଧ୍ୟମ ଆଗରେ ନିଜ ଗର୍ଭ ଯନ୍ତ୍ରଣାର ବ୍ୟଥା ବଖାଣୁଥିବା ବେଳେ କହୁ କହୁ କହି ପକାଇଛନ୍ତି ନିଜ ଜନ୍ମର ଅକୁହା କଥା।

ରୁବିନା କହିଛନ୍ତି, ମୋ ଜନ୍ମ ମାଆଙ୍କୁ ହୋଇଥିଲା ୧୮ରୁ ୧୯ ବର୍ଷ। ସେହି ବୟସରେ ସେ ମାଆ ହୋଇଥିଲେ। ମାଆ ମୋତେ ଗୁହାଳରେ ଜନ୍ମ ଦେଇଥିଲେ। ସେତେବେଳେ ତାଙ୍କ ସହ ଆଉ କେହି ନଥିଲେ। ବର୍ତ୍ତମାନ ପରି ସେତେବେଳେ ଏତେ ସୁବିଧା ସୁଯୋଗ ନଥିଲା। ତେଣୁ ମୋ ମାଆଙ୍କ ସହ ମୋତେ ଯୋଡ଼ୁଥିବା ନାଭି ସେ ନିଜେ ବ୍ଲେଡ୍‌ରେ କାଟିଥିଲେ। ସେ ଗର୍ଭାବସ୍ଥା, ପ୍ରସବ ଓ ଆଜିର ପ୍ରସବ ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ଯେଉଁଠି ଆମେ ହସ୍ପିଟାଲର ଆରାମଦାୟକ ରୁମରେ ଟପ୍ ସର୍ଜନଙ୍କ ଗହଣରେ ପିଲା ଜନ୍ମ କରୁଛୁ। ଆମେ ସେହି ସମୟର ଅସୁବିଧା ସହ ନିଜକୁ ତୁଳନା ମଧ୍ୟ କରିପାରିବା ନାହିଁ।

ରୁବିନା କହିଛନ୍ତି, ମୁଁ ଏବେ ଯାଆଁଳା ଝିଅଙ୍କ ମାଆ। ମୁଁ ଏକ କଷ୍ଟକର ଗର୍ଭାବସ୍ଥା ଦେଇ ଗତି କରିଛି। ୨୦୨୩ ମସିହାରେ ଯାଆଁଳା କନ୍ୟା ସନ୍ତାନ ଜୀଭା ଓ ଅନ୍ୟଙ୍କୁ ଜନ୍ମ କରିଛି। ଗର୍ଭାବସ୍ଥା ସମୟରେ ଅନେକ ଶାରୀରିକ ଓ ଭାବନାତ୍ମକ ଆହ୍ୱାନର ସାମ୍ନା କରିଛି। ଏପରିକି ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ଚାପ ସହିଛି। ସାଙ୍ଗମାନଙ୍କଠାରୁ ବିଶ୍ୱାସଘାତକତା ଓ ନିସଙ୍ଗତାର ଯନ୍ତ୍ରଣା ମଧ୍ୟ ସହିବାକୁ ପଡ଼ିଛି। କିନ୍ତୁ ବର୍ତ୍ତମାନ ସେହି ସମସ୍ତ ମିଥ୍ୟା ସମ୍ପର୍କରୁ ନିଜକୁ ଦୂରେଇ ଦେଇଛି ବୋଲି ରୁବିନା କହିଛନ୍ତି।

ସୂଚନାରୁ ପ୍ରକାଶ, ରୁବିନାଙ୍କ ଜନ୍ମ ହିମାଚଳପ୍ରଦେଶର ଏକ ପାହାଡ଼ି ଗାଁରେ ହୋଇଛି। କିନ୍ତୁ ତାଙ୍କ ପାଠ ପଢ଼ା ସିମଲାରେ ହୋଇଛି। ଗ୍ରାଜୁଏସନ୍ ପାସ ପରେ ଆଇଏଏସ୍ ହେବାକୁ ଲକ୍ଷ୍ୟ ରଖିଥିଲେ। ସେଥିପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। କଳା ଦୁନିଆକୁ ଆସିଥିଲେ। ଟେଲି ଦୁନିଆରେ ବହୁ ହିଟ୍ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ।