ଇରାନଙ୍କୁ ଖୋଲା ଧମକ ଦେଲେ ଟ୍ରମ୍ପ: କହିଲେ- ଆଜି ରାତିରେ ବୋମା ବର୍ଷା କରିବୁ

ତୁର୍କୀ ରାଜଧାନୀ ଆଙ୍କାରାରେ ନାଟୋ ଶିଖର ସମ୍ମିଳନୀ ଅବସରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି; ଆମେ ଗତ ରାତିରେ ସେମାନଙ୍କ ଉପରେ ବହୁତ କଡ଼ା ଆଘାତ କରିଥିଲୁ

ନୂଆଦିଲ୍ଲୀ: ରାଇନ୍‌କୁ ଆଜି ଖୋଲା ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଆଉ କହିଛନ୍ତି; ଦରକାର ପଡ଼ିଲେ ଆଜି ରାତିରେ ପୁଣି ଥରେ ବୋମା ବର୍ଷା କରିବୁ। ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପରେ ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ହେଲା ପରି ଲାଗୁନି। ହେଲେ ଏନେଇ ଇରାନ୍ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଆମେରିକା ଓ ଇରାନ ମଧ୍ୟରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ଯେଉଁଥିପାଇଁ ଜଳପଥ ମାର୍ଗ ହର୍ମୋଜ ପ୍ରଣାଳୀରେ ଶହ ଶହ ଜାହାଜ ଫସି ରହିଛନ୍ତି। ମିସାଇଲ ମାଡ଼ ହେବା ଆଶଙ୍କାରେ କୌଣସି ଜାହାଜ ଆଗକୁ ଯାଉନାହିଁ। ଏହି ସବୁ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ଇରାନ ବିରୋଧରେ କଡା ଆଭିମୁଖ୍ୟ ଆପଣାଇବା ପାଇଁ ଟ୍ରମ୍ପ ସଙ୍କେତ ଦେଇଛନ୍ତି। ଆମେରିକା ଖୁବ୍ ଶୀଘ୍ର ନୂଆ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଟ୍ରମ୍ପ କହିଛନ୍ତି।

ତୁର୍କୀ ରାଜଧାନୀ ଆଙ୍କାରାରେ ନାଟୋ ଶିଖର ସମ୍ମିଳନୀ ଅବସରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି; ଆମେ ଗତ ରାତିରେ ସେମାନଙ୍କ ଉପରେ ବହୁତ କଡ଼ା ଆଘାତ କରିଥିଲୁ। ଦରକାର ପଡ଼ିଲେ ଆଜି ରାତିରେ ମଧ୍ୟ ଆମେ ପୁଣି ଜୋରଦାର ଆକ୍ରମଣ କରିବୁ। ଆମେରିକା ନିଜ ସ୍ୱାର୍ଥ ଓ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ମାର୍ଗର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜାରି ରଖିବ ବୋଲି ଟ୍ରମ୍ପ କହିଛନ୍ତି।

ଆମେରିକାର ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି, ଇରାନ ହର୍ମୋଜ ପ୍ରଣାଳୀରେ ବ୍ୟବସାୟିକ ଜାହାଜ ଗୁଡିକୁ ଟାର୍ଗେଟ କରିବା ପାଇଁ ଡ୍ରୋନ ଓ ମିସାଇଲ ବ୍ୟବହାର କରିଛି। ଏହି ଆକ୍ରମଣର ଜବାବରେ ଆମେରିକା କାର‌୍ୟ୍ୟାନୁଷ୍ଠାନ ନେଉଛି। ଇରାନ ସହ ଅନ୍ତରୀଣ ବୁଝାମଣା ସମାପ୍ତ ହୋଇଯାଇଛି। କିନ୍ତୁ ମୁଁ ଆଲୋଚନା ଜାରି ରଖିବୁ ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ନିକଟରେ ଘୋଷିତ ଯୁଦ୍ଧବିରାମ ପ୍ରାୟ ଭାଙ୍ଗିବାକୁ ଯାଉଛି। ରିପୋର୍ଟ ଅନୁସାରେ, ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ପୁଣି ଥରେ ଦ୍ରୁତ ଗତିରେ ବଢୁଛି। ତେବେ କେତେକ ରିପୋର୍ଟରେ କୁହାଯାଇଛି, ଆମେରିକା ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ ଉପରେ ନିୟନ୍ତ୍ରଣ ସ୍ଥାପନ କରିବା ଉପରେ ବିଚାର କରୁଛି। ତେବେ ଏ ସମ୍ପର୍କରେ ଆମେରିକା ପ୍ରଶାସନ ପକ୍ଷରୁ କୌଣସି ଆଧିକାରିକ ପୁଷ୍ଟି କରାଯାଇନାହିଁ।