fbpx

ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟତା ଆଉ ବେଶି ଦୂର ନୁହେଁ, ଭାରତକୁ ସମର୍ଥନ କଲେ ରୁଷ, ଆମେରିକା

ନୂଆଦିଲ୍ଲୀ: ପୁଣି ଥରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ନେଇ ଉଠିଛି ପ୍ରସଙ୍ଗ । ଏନେଇ ଭାରତକୁ ସମର୍ଥନର ହାତ ବଢ଼ାଇଛି ରୁଷ । ଜାତିସଂଘର ୭୭ତମ ଅଧିବେସନରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ଏନେଇ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ଆଫ୍ରିକା, ଏସିଆ, ଲାଟିନ ଆମେରିକା, ଭାରତ, ବ୍ରାଜିଲର ପ୍ରତିନିଧିମାନେ ଅନ୍ତର୍ଜାତୀୟ ସ୍ତରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ତେଣୁ ସେମାନଙ୍କୁ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଯିବା ଦରକାର ବୋଲି ସର୍ଗେ କହିଛନ୍ତି ।

ଆମେରିକା ମଧ୍ୟ ଭାରତର ସ୍ଥାୟୀ ସଦସ୍ୟତା ନେଇ ସହଯୋଗ କରିବ ବୋଲି ଘୋଷଣା କରିଛି । ମିଳିତ ଜାତିସଂଘର ଅଧିବେସନରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନିଜ ଅଭିଭାଷଣରେ ଏନେଇ ଉଲ୍ଲେଖ କରିଛନ୍ତି । ଏଥିସହିତ ଜି-୪ ରାଷ୍ଟ୍ର ସମୂହଙ୍କୁ ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟତା ମିଳିବା ନେଇ ମଧ୍ୟ ବହୁତ ଚର୍ଚ୍ଚା ହେଉଛି । ଏହି ଗ୍ରୁପରେ ଭାରତ, ଜାପାନ, ବ୍ରାଜିଲ ଓ ଜର୍ମାନୀ ରହିଛନ୍ତି ।

ଭାରତ ସହିତ ବିଶ୍ୱର ୩୨ଟି ରାଷ୍ଟ୍ର ମିଳିତ ଜାତିସଂଘର ଜରୁରୀକାଳୀନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି । ଦାରିଦ୍ର୍ୟ, ଜଳବାୟୁ ପରିବର୍ତ୍ତନ, ମହାମାରୀ, ଗ୍ଲୋବାଲ ଖାଦ୍ୟ ସୁରକ୍ଷା, ଆତଙ୍କବାଦୀ, ଅନ୍ତର୍ଜାତୀୟ ସମସ୍ୟାକୁ ଦୂର କରିବା ପାଇଁ ଏନେଇ ସମସ୍ତ ରାଷ୍ଟ୍ରଙ୍କ ପକ୍ଷରୁ ଏକ ଦସ୍ତଖତ ସ୍ୱାକ୍ଷର କରାଯାଇଥିଲା । ଏହି ରାଷ୍ଟ୍ରଙ୍କ ମଧ୍ୟରେ ଭାରତ, ବ୍ରାଜିଲ, ଡୋମିନିକା, ଗ୍ରେନାଡା, ହାଇତି, ଜାମାଇକା, ମଙ୍ଗୋଲିଆ, ନାଇଜେରିଆ, ପପୁଆ ନ୍ୟୁ ଗୁଏନା, ଦକ୍ଷିଣ ଆଫ୍ରିକା, ଭାନୁଆଟୁ ରହିଥିଲେ ।

Get real time updates directly on you device, subscribe now.