fbpx

ଜନ୍ମ ଜୟନ୍ତୀରେ ମନେ ପଡନ୍ତି ସାବିତ୍ରୀ ବାଇ ଫୁଲେ: ପ୍ରଥମ ମହିଳା ଭାବରେ କରିଥିଲେ ଶିକ୍ଷକତା, ଜାଣନ୍ତୁ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ:  ଭାରତର ପ୍ରଥମ ମହିଳା ଶିକ୍ଷକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ୧୮୩୧ ଜାନୁଆରୀ ୩ ତାରିଖରେ ହୋଇଥିଲା । ସାବିତ୍ରୀ ବାଇ ଫୁଲେଙ୍କୁ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ହେବାର ଶ୍ରେୟ ଯାଉଛି । ଯେଉଁ ସମୟରେ ମହିଳାଙ୍କୁ ପରଦା ପଛରେ ରଖାଯାଉଥିଲା ସେହି ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟେତିବା ଫୁଲେଙ୍କ ସହାୟତା ଯୋଗୁଁ ନିଜେ ଶିକ୍ଷିତ ହେବା ସହ ଅନ୍ୟ ମହିଳାମାନଙ୍କୁ ପାଠ ପଢ଼ିବା ପାଇଁ ପ୍ରେରିତ କରିପାରିଥିଲେ ।

ବିବାହ ସମୟରେ ଅପାଠୁଆ ଥିଲେ ସାବିତ୍ରୀ ବାଇ
ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ମହାରାଷ୍ଟ୍ରର ସତାରା ଜିଲ୍ଲାସ୍ଥିତ ନାୟଗାଁଓରେ ହୋଇଥିଲା । ମାତ୍ର ୯ ବର୍ଷ ବୟସରେ ତାଙ୍କ ବିବାହ ଜ୍ୟୋତିବା ଫୁଲେଙ୍କ କରାଯାଇଥିଲା । ବିବାହ ସମୟରେ ସାବିତ୍ରୀବାଇ ଅପାଠୁଆ ଥିଲେ । କିନ୍ତୁ ତାଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ସ୍ୱାମୀଙ୍କ ସହଯୋଗ ଯୋଗୁଁ ସେ ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ ।

ଦେଶର ପ୍ରଥମ ବାଳିକା ସ୍କୁଲ ସ୍ଥାପନା
ସାବିତ୍ରୀବାଇ ନିଜ ପତି ଜ୍ୟୋତିବା ଫୁଲେଙ୍କ ସହ ମିଶି ବାଳିକାଙ୍କ ପାଇଁ ୧୮ଟି ସ୍କୁଲ ଖୋଲିଥିଲେ । ୧୮୪୮ ମସିହାରେ ମହାରାଷ୍ଟ୍ରର ପୁନେରେ ଦେଶର ପ୍ରଥମ ବାଳିକା ସ୍କୁଲ ସ୍ଥାପନ ହୋଇଥିଲା । ସେହିପରି ଦେଶର ୧୮ତମ ସ୍କୁଲ ମଧ୍ୟ ପୁନେରେ ହିଁ ଖୋଲା ଯାଇଥିଲା । ବାଳିକାଙ୍କ ଶିକ୍ଷା ପାଇଁ ସାବିତ୍ରୀବାଇଙ୍କ ଯୋଗଦାନ ଅତୁଳନୀୟ ।

ସ୍କୁଲ ଯାଉଥିବାରୁ ପଥର ମାରୁଥିଲେ ଲୋକ
ଉନବିଂଶ ଶତାଦ୍ଦିରେ ପଛୁଆ ବର୍ଗର ମହିଳାଙ୍କୁ ପାଠ ପଢ଼ାଇବା ଏବଂ ସମାଜ କାର୍ଯ୍ୟରେ ଭାଗ ନେବା ଅନେକ କଠିନ ଥିଲା । କୁହାଯାଉଛି ଯେ, ସାବିତ୍ରୀବାଇ ସ୍କୁଲକୁ ପଢ଼ାଇବାକୁ ଯାଉଥିବା ବେଳେ ତାଙ୍କୁ ଲୋକମାନେ ଅନେକ ଟାହିଟାପରା କରିବା ସହ ପଥର ମାଡ଼ ମଧ୍ୟ କରୁଥିଲେ । ଏସବୁ ସତ୍ୱେ ସେ ପାଠ ପଢ଼ାଇବା ଛାଡ଼ି ନଥିଲେ ।

ସ୍ୱାମୀଙ୍କ ମୃତ୍ୟୁପରେ ସମ୍ଭାଳିଥିଲେ ଦାୟିତ୍ୱ
ସାବିତ୍ରୀବାଇ ଫୁଲେ ଏବଂ ଜ୍ୟୋତିବା ଉଭୟ ୧୮୭୩ ସେପ୍ଟେମ୍ବର ୨୪ରେ ସତ୍ୟଶୋଧକ ସମାଜ ସ୍ଥାପନ କରିଥିଲେ । ସେ ବିଧବା ବିବାହ ପରମ୍ପରା ମଧ୍ୟ ଆରମ୍ଭ କରିଥିଲେ । ଏହି ସଂସ୍ଥା ଦ୍ୱାରା ୧୮୭୩ ଡିସେମ୍ବର ୨୫ରେ ପ୍ରଥମ ବିଧବା ପୁର୍ନବିବାହ କରାଯାଇଥିଲା । ୧୮୯୦ ନଭେମ୍ବରରେ ଅସୁସ୍ଥତା କାରଣରୁ ଜ୍ୟୋତିବାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସତ୍ୟଶୋଧକ ସମାଜର ଦାୟିତ୍ୱ ସାବିତ୍ରୀବାଇ ଫୁଲେ ଦୃଢ଼ତାର ସହ କରିଥିଲେ । ୧୮୯୭ ମାର୍ଚ୍ଚ ୧୦ ତାରିଖରେ ସାବିତ୍ରୀବାଇଙ୍କ ପରଲୋକ ପୁନେରେ ହୋଇଥିଲା ।

Get real time updates directly on you device, subscribe now.