fbpx

ପହିଲମାନ ସାଗର ରାଣା ହତ୍ୟା ମାମଲା: ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମ ବ୍ରାଞ୍ଚ, ସୁଶୀଲ ହିଁ ହେଉଛନ୍ତି ମାଷ୍ଟରମାଇଣ୍ଡ୍

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ପହିଲମାନ ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀ ପୋଲିସ ସୋମବାର ରୋହିଣୀ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିଛି। ଏଥିରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି । ଏହି ଚାର୍ଜସିଟ୍‌ରେ ସୁଶୀଳ କୁମାରଙ୍କ ସମେତ ପାଖାପାଖି ୨୦ ଅଭିଯୁକ୍ତଙ୍କ ନାମ ସାମିଲ ରହିଛି ।

ଏନେଇ ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ ସତବୀର ସିଂହ ଲାମ୍ବାଙ୍କ ଅଦାଲତରେ ଦାଖଲ ଚାର୍ଜସିଟ୍‌ରେ ପୋଲିସ କହିଛି, ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଏହି ମାମଲାରେ ଏ ପର୍ୟ୍ୟନ୍ତ ୧୫ ଅଭିଯୁକ୍ତଙ୍କ ଗିରଫଦାରୀ ହୋଇସାରିଥିବା ବେଳେ ବାକି ୫ ଫେରାର ଅଛନ୍ତି। ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ସୁଶୀଲ କୁମାର । ଏହାର ପ୍ରମାଣ ମଧ୍ୟ ରହିଛି। ଭିଡିଓରେ ସୁଶୀଲ ଏବଂ ତାଙ୍କ ସାଥୀ ସାଗରଙ୍କୁ ଲାଠିରେ ମାଡ ମାରୁଥିବା ଦେଖିବାକୁ ମିଳିଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ, ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମେ ୪ ରାତିରେ ଦିଲ୍ଲୀ ମୋଡେଲ୍ ଥାନା ଅଞ୍ଚଳରେ ପହିଲମାନ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଏକ ଫ୍ଲାଟରୁ ସାଗର ରାଣା ଏବଂ ତାଙ୍କ ବନ୍ଧୁ ସୋନୁ ମହାଲ ଓ ଅମିତ୍ କୁମାରଙ୍କ ଅପହରଣ କରିଥିଲେ। ପୁଣି ଛତ୍ରସାଲ ଷ୍ଟାଡିୟମ ଆଣି ପାର୍କିଂରେ ନିର୍ମମ ମାଡ ମାରିଥିଲେ। ଏଥିରେ ସାଗର ଗୁରୁତର ଭାବେ ଆହତ ହୋଇ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ବହୁ ଖୋଜାଖୋଜି ପରେ ସୁଶୀଲଙ୍କୁ ମେ ୨୩ରେ ମୁଣ୍ଡକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

 

Get real time updates directly on you device, subscribe now.