ସବାରୀ ବଦଳରେ ଉଠିଲା ଶବ… ହୋମ ନିଆଁ ବଦଳରେ ଜଳିଲା ଗାଁ ମଶାଣୀ
ଶୁକ୍ରବାର ସକାଳେ ପ୍ରାୟ ୧୦ଟା ହେବ। ବାହାଘର ପାଇଁ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ହେଲେ ଶୋଇବା ଘରୁ ଉଠିନଥିଲେ ଅମିତ
ଲକ୍ଷ୍ନୌ: ଆଜି ଉଠିଥାଆନ୍ତା ସବାରୀ। ହେଲେ ଭାଗ୍ୟର ବିଡ଼ମ୍ବନା ଉଠିଲା କୋକେଇ। ହସଖୁସିର ମାହୋଲ କ୍ଷଣକ ଭିତରେ କାନ୍ଦ ବୋବାଳିରେ ପରିଣତ ହେଲା। ମନ୍ତ୍ର ଧ୍ୱନୀ ବଦଳରେ ଘର ଅଗଣାରେ ଶୁଭିଲା ରାମନାମ ସତ୍ୟ ହେ ହରି ନାମ ହେ…। ମାଲ ଭାଇମାନେ ଘରର ବଢ଼ିଲା ପୁଅକୁ କୋକେଇରେ ଶୋଆଇ ନେଇଗଲେ। ବାହା ଘରର ଖୁସି କୋକେଇରେ ଚାଲିଗଲା ଶ୍ମଶାନ??? ଏମିତି କିଛି ବ୍ୟଥିତ କଲା ପରି ଘଟଣା ଉତ୍ତରପ୍ରଦେଶରେ ଘଟିଛି।
ସହାରନପୁର ଜିଲ୍ଲା ଦେଓବନ୍ଦ ଥାନା ମୋହିଉଦ୍ଦିନପୁର ଗାଁ। ଏହି ଗାଁର ଅମିତ ଭାରତୀୟ। ସେ ରେଳବାଇରେ ଲୋକୋ ପାଇଲଟ ଭାବେ ଚାକିରି କରୁଥିଲେ। ପଞ୍ଜାବର ଲୁଧିଆନାରେ ଚାକିରି କରୁଥିଲେ। ଆଜି ତାଙ୍କର ବିବାଘର।
ସେଥିପାଇଁ ସେ ଗୁରୁବାର ରାତିରେ ଘରକୁ ପଳାଇ ଆସିଥିଲେ। ରାତି ପାହିଲେ ବାହାଘର ଥିବାରୁ ବେଶ୍ ଖୁସିଥିଲେ। ବାହାଘର ପାଇଁ ଘର ରଙ୍ଗୀନ ଲାଇଟ୍ ସଜେଇ ହୋଇଥିଲା। ପହଞ୍ଚି ସାରିଥିଲେ ବନ୍ଧୁବାନ୍ଧବ। ସମସ୍ତେ ବିବାହ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ।
ଶୁକ୍ରବାର ସକାଳେ ପ୍ରାୟ ୧୦ଟା ହେବ। ବାହାଘର ପାଇଁ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ହେଲେ ଶୋଇବା ଘରୁ ଉଠିନଥିଲେ ଅମିତ। ପରିବାର ଲୋକ ଓ ବନ୍ଧୁବାନ୍ଧବ ଅମିତଙ୍କୁ ଉଠାଇବା ପାଇଁ ଛାତ ଥିବା ଶୋଇବା ଘରକୁ ଯାଇଥିଲେ।
ସେତେବେଳେ ଫ୍ୟାନରେ ଅମିତଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲେ। ଏହି ଦୃଶ୍ୟ ଦେଖିବା ପରେ ଚିତ୍କାର ଓ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପରିବେଶ। ବିବାହର ଆନନ୍ଦ ମୁହୂର୍ତ୍ତକ ଶୋକରେ ପରିଣତ ହୋଇଯାଇଥିଲା।
ଖବର ପାଇ ପୋଲିସ ଗାଁରେ ପହଞ୍ଚି ଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଗାଁ ଲୋକଙ୍କ କହିବା ଅନୁସାରେ ଅମିତ ପ୍ରାୟ ୬ ବର୍ଷ ଧରି ଭାରତୀୟ ରେଳବାଇରେ ସେବା କରୁଥିଲେ। ଅମିତ ଏହି ଚରମ ପଦକ୍ଷେପ ନେବାର କାରଣ ଅସ୍ପଷ୍ଟ ରହିଛି। ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଏହି ବିଷୟରେ କୌଣସି ମତାମତ ଦେବାକୁ ମନା କରୁଛନ୍ତି। ଗାଁ ଲୋକମାନେ ମଧ୍ୟ ନୀରବତା ଅବଲମ୍ବନ କରିଛନ୍ତି।


