ରିତିଙ୍କ ବ୍ୟବହାର ନେଇ ଖପ୍ପା ସଲମାନ, ପରିବାରବାଦକୁ ନେଇ ଉଠାଇଲେ ପ୍ରଶ୍ନ

‘ବିଗ୍‌ ବସ୍‌ ୨୦’ର ‘ୱିକେଣ୍ଡ କା ୱାର୍‌’ରେ ପ୍ରତିଯୋଗୀ ରିତି ତିୱାରୀଙ୍କ ବ୍ୟବହାରକୁ ନେଇ ସଲମାନ ଖାନ ପ୍ରଶ୍ନ କରିଥିଲେ।

ମୁମ୍ବାଇ: ‘ବିଗ୍‌ ବସ୍‌ ୨୦’ର ‘ୱିକେଣ୍ଡ କା ୱାର୍‌’ ଏପିସୋଡ୍‌ରେ ପ୍ରତିଯୋଗୀ ରିତି ତିୱାରୀଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିନେତା ତଥା ଶୋ’ର ହୋଷ୍ଟ ସଲମାନ ଖାନ। ଏହି ସମୟରେ ଫିଲ୍ମ ଜଗତରେ ପରିବାରବାଦ ବା ନେପୋଟିଜିମ୍‌ ପ୍ରସଙ୍ଗ ମଧ୍ୟ ଉଠାଇ ଥିଲେ ।

ନିକଟରେ ଏକ ଟାସ୍କ ସମୟରେ ଉଦିତି ସିଂହ ଓ କାଜି ତୌକିରଙ୍କ ସହ ରିତିଙ୍କ ବିବାଦ ହୋଇଥିଲା। ଏହି ସମୟରେ ରିତି କିଛି ଅପଶବ୍ଦ ଓ ଅପମାନଜନକ କଥା କହିଥିବା ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା। ଏହାକୁ ନେଇ ସଲମାନ ତାଙ୍କୁ ତାଙ୍କ ବ୍ୟବହାର ସମ୍ପର୍କରେ ପଚାରିଥିଲେ।

ଆଲୋଚନା ବେଳେ ରିତିଙ୍କ ପରିବାର ଓ ତାଙ୍କ ପରିଚୟ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଥିଲା। ରିତି ଅଭିନେତା-ରାଜନେତା ମନୋଜ ତିୱାରୀଙ୍କ ଝିଅ। ଫିଲ୍ମ ପରିବାରରୁ ଆସୁଥିବା ଲୋକଙ୍କୁ ଇଣ୍ଡଷ୍ଟ୍ରିରେ ପ୍ରବେଶ ପାଇଁ ପରିବାରର ପରିଚୟ କିଛି ସୁଯୋଗ ଦେଇପାରେ ବୋଲି ସଲମାନ ଆଲୋଚନା କରିଥିଲେ।

ଏହି ପ୍ରସଙ୍ଗରେ ସଲମାନ ଅଜୟ ଦେବଗନ ଓ ହ୍ରିତିକ ରୋଶନଙ୍କ ଭଳି ଅଭିନେତାଙ୍କ ଉଦାହରଣ ଦେଇଥିଲେ। ତେବେ ପରିବାରର ପରିଚୟରୁ ସୁଯୋଗ ମିଳିବା ଏବଂ ନିଜ ପ୍ରତିଭା ଓ ପରିଶ୍ରମରେ ସଫଳତା ପାଇବା ଦୁଇଟି ଭିନ୍ନ କଥା ବୋଲି ସେ କହିଥିଲେ।

ସଲମାନ ରିତିଙ୍କୁ କହିଥିଲେ ଯେ, ‘ବିଗ୍‌ ବସ୍‌’ ଘରେ ତାଙ୍କ ବ୍ୟବହାରକୁ ତାଙ୍କ ପରିବାରର ନାମ ଆଧାରରେ ନୁହେଁ, ବରଂ ତାଙ୍କ ନିଜ ବ୍ୟବହାର ଆଧାରରେ ଦେଖାଯିବ।

ଏହା ପୂର୍ବରୁ ମଧ୍ୟ ସଲମାନ ‘ବିଗ୍‌ ବସ୍‌’ରେ ଅନଲାଇନ୍‌ ଟ୍ରୋଲିଂ, ଶରୀରକୁ ନେଇ ମନ୍ତବ୍ୟ ଏବଂ ପାପାରାଜିଙ୍କ ବ୍ୟବହାର ଭଳି ପ୍ରସଙ୍ଗ ଉଠାଇଥିଲେ। ଫଳରେ ଚଳିତ ସିଜନ୍‌ର ‘ୱିକେଣ୍ଡ କା ୱାର୍‌’ ଏପିସୋଡ୍‌ରେ ପ୍ରତିଯୋଗୀଙ୍କ ବିବାଦ ସହ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାକୁ ଆସୁଛି।