ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ଦେବଦୂତ ସାଜିଲେ ସଲମାନ ଖାନ୍: ୫୦୦ ପରିବାରକୁ ଯୋଗାଇଦେବେ ସୁରକ୍ଷିତ ଘର
ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ଦେବଦୂତ ସାଜିଲେ ସଲମାନ ଖାନ୍
ଓଡ଼ିଶା ଭାସ୍କର ଡେସ୍କ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଆସାମର ଭୟଙ୍କର ବନ୍ୟା ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ସେ ‘ଆଶିଆନା – ହୋପ୍ ବିଗିନ୍ସ ୱିଥ୍ ଏ ସେଫ୍ ସେଲ୍ଟର’ ଅଭିଯାନ ସହ ଯୋଡ଼ି ହୋଇ ଏକ ମହତ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ୟାରେ ନିଜର ଘରଦ୍ୱାର ହରାଇଥିବା ବେଘର ଲୋକଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇଦେବା।
ଏହି ଅସହାୟ ଲୋକମାନଙ୍କ ପାଇଁ ବଲିଉଡର ‘ଭାଇଜାନ୍’ ଏବେ ସତସତିକା ଦେବଦୂତ ସାଜିଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକ ଓ ସାଧାରଣ ଲୋକମାନେ ସଲମାନଙ୍କ ଏହି ବଦାନ୍ୟତାକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ରିଅଲ୍ ଲାଇଫ୍ ହିରୋ ବୋଲି ଅଭିହିତ କରୁଛନ୍ତି।
ସଲମାନ ଖାନ୍ ନିଜର ଚ୍ୟାରିଟି ଓ ସମାଜସେବା କାର୍ଯ୍ୟ ପାଇଁ ସଦାସର୍ବଦା ଜଣାଶୁଣା। କ୍ୟାନ୍ସର ପୀଡ଼ିତଙ୍କ ଚିକିତ୍ସା ସହାୟତାରୁ ଆରମ୍ଭ କରି ହଜାର ହଜାର ଗରିବ ଶିଶୁଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବା ପର୍ଯ୍ୟନ୍ତ, ସେ ସବୁବେଳେ ଆବଶ୍ୟକତା ଥିବା ଲୋକଙ୍କ ସାହାଯ୍ୟ ପାଇଁ ଛିଡ଼ା ହୋଇଥାନ୍ତି।
ଆସାମ ବନ୍ୟା ପୀଡ଼ିତଙ୍କୁ ମିଳିବ ନୂଆ ଘର: ‘ଆଶିଆନା’ ଅଭିଯାନ ଅଧୀନରେ ନେପାଳୀ ଖୁଟି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପୂର୍ବରୁ ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୨୦ଟି ଅସ୍ଥାୟୀ ଘର ନିର୍ମାଣ ଶେଷ ହୋଇସାରିଛି, ଯାହାଦ୍ୱାରା ଅନେକ ବେଘର ପରିବାରକୁ ରହିବା ପାଇଁ ସୁରକ୍ଷିତ ସ୍ଥାନ ମିଳିପାରିଛି।
ଏହି ପଦକ୍ଷେପ ମାଧ୍ୟମରେ ମୋଟ ୫୦୦ଟି ଘର ତିଆରି କରିବାର ଲକ୍ଷ୍ୟ ରଖାଯାଇଛି, ଯାହାଦ୍ୱାରା ଶହ ଶହ ପରିବାର ଆଶା, ସୁରକ୍ଷା ଓ ସମ୍ମାନର ସହ ନିଜ ଜୀବନ ପୁନର୍ବାର ଆରମ୍ଭ କରିପାରିବେ।
ରିଅଲ୍ ଲାଇଫ୍ ହିରୋ ସଲମାନ: ସଲମାନ ଖାନ୍ଙ୍କ ସହଯୋଗ ଯୋଗୁଁ ଏହି ସାମାଜିକ କାର୍ଯ୍ୟପ୍ରତି ଅନେକ ଲୋକଙ୍କ ଧ୍ୟାନ ଆକୃଷ୍ଟ ହୋଇଛି, ଯାହାଦ୍ୱାରା ଆଗାମୀ ଦିନରେ ଆହୁରି ଅନେକ ବ୍ୟକ୍ତି ବନ୍ୟା ପ୍ରଭାବିତଙ୍କ ସାହାଯ୍ୟ ପାଇଁ ଆଗେଇ ଆସିବେ ବୋଲି ଆଶା କରାଯାଉଛି। କେବଳ ସାଧାରଣ ଜନତା ନୁହନ୍ତି, ଚଳଚ୍ଚିତ୍ର ଜଗତର କଳାକାର ଓ କର୍ମଚାରୀଙ୍କୁ ସାହାଯ୍ୟ କରିବାରେ ବି ସଲମାନ ସବୁବେଳେ ଆଗରେ ଥାଆନ୍ତି।
ସୂଚନାଯୋଗ୍ୟ ଯେ, ଆସାମ ବନ୍ୟା ପୀଡ଼ିତଙ୍କ ସାହାଯ୍ୟ ପାଇଁ ସଲମାନଙ୍କ ବ୍ୟତୀତ ବଲିଉଡର ଅନ୍ୟ କେତେକ କଳାକାର ମଧ୍ୟ ଆଗେଇ ଆସିଛନ୍ତି। ଅଭିନେତା ରଣଦୀପ ହୁଡ୍ଡା ନିଜେ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଓ ଶୁଖିଲା ଖାଦ୍ୟ ବାଣ୍ଟିଥିବା ବେଳେ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ରିଲିଫ୍ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।


