ରାଗ ଲଙ୍କା ଆଣିଲା ବଡ଼ ବିପଦ! ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ୩୦୦ରୁ ଅଧିକ, ୨୭ଟି ରାଜ୍ୟରେ ହାଇଆଲର୍ଟ

ରାଗ ଲଙ୍କା ଆଣିଲା ବଡ଼ ବିପଦ! ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ୩୦୦ରୁ ଅଧିକ

ଓଡ଼ିଶା ଭାସ୍କର ଡେସ୍କ: ଯେଉଁ ରାଗ ଜଲେପିନୋ ଲଙ୍କାକୁ ଲୋକେ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରୁଥିଲେ, ସେହି ଲଙ୍କା ଏବେ ଶହ ଶହ ଲୋକଙ୍କୁ ରୋଗୀ ବନାଇ ଦେଇଛି! ମେକ୍ସିକୋରୁ ଆମେରିକାକୁ ଆସିଥିବା ଏହି ସ୍ୱତନ୍ତ୍ର ପ୍ରକାରର ଲଙ୍କା ଯୋଗୁଁ ସୃଷ୍ଟି ହୋଇଥିବା ‘ସାଲମୋନେଲା’ ସଂକ୍ରମଣ ଏବେ ଆମେରିକାର ୨୭ଟି ରାଜ୍ୟରେ ଆତଙ୍କ ଖେଳାଇ ଦେଇଛି।

ବର୍ତ୍ତମାନ ସୁଦ୍ଧା ୩୪୫ ଜଣ ଲୋକ ଏହି ସଂକ୍ରମଣର ଶିକାର ହୋଇସାରିଥିବା ବେଳେ ୩୬ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ୟାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସିଗୁଡ଼ିକ ତଦନ୍ତ କ୍ରମାଗତ ଜାରି ରଖିଛନ୍ତି ଏବଂ ବଜାରରୁ ସନ୍ଦିଗ୍ଧ ଲଙ୍କାଗୁଡ଼ିକୁ ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Uttarakhand Govt.

କେଉଁଠୁ ଆସିଲା ଏହି ସଂକ୍ରମଣ: ଆମେରିକାର ‘ସେଣ୍ଟର୍ସ ଫୋର୍ ଡିଜିଜ୍ କଣ୍ଟ୍ରୋଲ୍ ଏଣ୍ଡ୍ ପ୍ରିଭେନ୍ସନ୍’ର ରିପୋର୍ଟ ଅନୁସାରେ, ଏହି ସଂକ୍ରମଣ ମେକ୍ସିକୋର ‘ସିନାଲୋଆ’ ଅଞ୍ଚଳରୁ ଆମଦାନୀ ହୋଇଥିବା ଜଲେପିନୋ ଲଙ୍କାରୁ ବ୍ୟାପିଛି। ‘କୋଷ୍ଟ ସିଟ୍ରସ୍ ଡିଷ୍ଟ୍ରିବ୍ୟୁଟର୍ସ’ ନାମକ କମ୍ପାନୀ ଏହି ଲଙ୍କା ସପ୍ଲାଇ କରିଥିଲା, ଯାହା ‘ଚିପୋଟଲେ ମେକ୍ସିକାନ୍ ଗ୍ରୀଲ୍’ ଏବଂ ‘QDOBA’ ଭଳି ଦେଶର ବଡ଼ ବଡ଼ ରେଷ୍ଟୁରାଣ୍ଟ ଚେନ୍‌ଗୁଡ଼ିକୁ ଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ରେଷ୍ଟୁରାଣ୍ଟଗୁଡ଼ିକ ତୁରନ୍ତ ଲଙ୍କାର ବ୍ୟବହାର ବନ୍ଦ କରିଦେଇଛନ୍ତି।

‘ସାଲମୋନେଲା’ ବ୍ୟାକ୍ଟେରିଆ କ’ଣ: ‘ସାଲମୋନେଲା’ ହେଉଛି ଏକ ଦୂଷିତ ବ୍ୟାକ୍ଟେରିଆ, ଯାହା ଦୂଷିତ ଖାଦ୍ୟ ଓ ପାଣି ମାଧ୍ୟମରେ ମଣିଷ ଶରୀରକୁ ପ୍ରବେଶ କରିଥାଏ। ଏହି ସଂକ୍ରମଣ ହେଲେ ବାନ୍ତି, ପ୍ରବଳ ଜ୍ୱର, ଝାଡ଼ା, ପେଟ ଯନ୍ତ୍ରଣା ଏବଂ ଦୁର୍ବଳତା ଦେଖାଦିଏ। ଛୋଟ ପିଲା, ବୃଦ୍ଧ ଏବଂ ରୋଗପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ସାଂଘାତିକ ହୋଇପାରେ।

ତଦନ୍ତ ଜାରି, ସୁରକ୍ଷା ଉପରେ ଜୋର୍: ଆମେରିକା ‘ଫୁଡ୍ ଏଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍’ ଅନୁସାରେ, ଏହି ସଂକ୍ରମଣ ମାମଲାଗୁଡ଼ିକ ଜୁନ୍ ୧୯ ରୁ ଜୁଲାଇ ୨୦ ମଧ୍ୟରେ ସାମ୍ନାକୁ ଆସିଥିଲା। ତେବେ ବର୍ତ୍ତମାନ ରେଷ୍ଟୁରାଣ୍ଟଗୁଡ଼ିକରୁ ଏହି ଲଙ୍କା ହଟାଇ ଦିଆଯାଇଥିବାରୁ ନାଗରିକଙ୍କ ପାଇଁ ଆଉ ସେପରି କିଛି ସାଂଘାତିକ ବିପଦ ନାହିଁ। ଏହି ଘଟଣା ବିଦେଶରୁ ଆସୁଥିବା ଖାଦ୍ୟପଦାର୍ଥର ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଖାଦ୍ୟ ସୁରକ୍ଷା ନିୟମକୁ ଅଧିକ କଡ଼ାକଡ଼ି କରିବାର ଆବଶ୍ୟକତାକୁ ପୁଣି ଥରେ ଦୋହରାଇଛି।