‘ଆମ ମନ ଯାହା କହିବ, ତାହା ଖାଇବୁ’; ଆମିଷ ମନ୍ତବ୍ୟକୁ ନେଇ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଘେରିଲେ ବେଙ୍ଗଲ ବିଜେପି ମୁଖ୍ୟ
ଭଟ୍ଟାଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି; ବେଙ୍ଗଲୀଙ୍କ ଖାଦ୍ୟ ପରମ୍ପରାରେ ମାଛ-ମାଂସର ଏକ ବିଶେଷ ସ୍ଥାନ ରହିଛି। ତାଙ୍କ କହିବା ଅନୁସାରେ, କୌଣସି ସାଧୁ କିମ୍ବା ରାଜନୈତିକ ଦଳ ଲୋକଙ୍କ ଉପରେ ଖାଦ୍ୟପାନୀୟ ସମ୍ପର୍କିତ ନିୟମ ଥୋପିବାର ଅଧିକାର ନାହିଁ।
କୋଲକାତା: ଦୁର୍ଗାପୂଜା ଆସିବା ପୂର୍ବରୁ ପଶ୍ଚିମବଙ୍ଗରେ ଖାଦ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଦୁର୍ଗାପୂଜା ସମୟରେ ନନ୍ଭେଜ୍ ନଖାଇବାକୁ ବାବା ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଆହ୍ୱାନକୁ ନେଇ ବେଙ୍ଗଲ ବିଜେପି ଅଧ୍ୟକ୍ଷ ଶମିକ ଭଟ୍ଟାଚାର୍ଯ୍ୟଙ୍କ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଭଟ୍ଟାଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି; ବେଙ୍ଗଲୀଙ୍କ ଖାଦ୍ୟ ପରମ୍ପରାରେ ମାଛ-ମାଂସର ଏକ ବିଶେଷ ସ୍ଥାନ ରହିଛି। ତାଙ୍କ କହିବା ଅନୁସାରେ, କୌଣସି ସାଧୁ କିମ୍ବା ରାଜନୈତିକ ଦଳ ଲୋକଙ୍କ ଉପରେ ଖାଦ୍ୟପାନୀୟ ସମ୍ପର୍କିତ ନିୟମ ଥୋପିବାର ଅଧିକାର ନାହିଁ।
ଧୀରେନ୍ଦ୍ର ଶାସ୍ତ୍ରୀ କ’ଣ କହିଥିଲେ?: କୋଲକାତାରେ ପ୍ରବଚନ ଦେଲା ବେଳେ ଧୀରେନ୍ଦ୍ର ଶାସ୍ତ୍ରୀ ପଶ୍ଚିମବଙ୍ଗବାସୀଙ୍କୁ ଦୁର୍ଗାପୂଜା ସମୟରେ ନନ୍ଭେଜ୍ ନଖାଇବାକୁ ଆହ୍ୱାନ କରିଥିଲେ। ଏପରି କରୁଥିବା ଲୋକଙ୍କୁ ସେ ‘ପାଖଣ୍ଡୀ’ ବୋଲି କହିଥିବାକୁ ପଛାଇନଥିଲେ।
ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ପଶ୍ଚିମବଙ୍ଗରେ ଭେଜ ଓ ନନଭେଜକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଏହାର ଜବାବ ଦେଇ ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି; କୌଣସି ବାହାର ଧର୍ମଗୁରୁ ଆସି ବଙ୍ଗାଳୀଙ୍କ ଖାଦ୍ୟ ଓ ପୋଷାକ ସମ୍ପର୍କରେ ଜ୍ଞାନ ଦେବା ଉଚିତ ନୁହେଁ। ଆମ ମନ ଯାହା କହିବ, ଆମେ ତାହା ଖାଇବୁ। ଅଷ୍ଟମୀରେ ବଙ୍ଗାଳୀମାନେ ପୁରୀ ଖାଆନ୍ତି। ନବମୀରେ ମଟନ ଖାଇବାର ପରମ୍ପରା ମଧ୍ୟ ରହିଛି। ଏହା ବଙ୍ଗାଳର ସାମାଜିକ ଓ ଖାଦ୍ୟ ପରମ୍ପରାର ଏକ ଅଂଶ। ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ନନ୍ଭେଜ୍ ନେଇ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମତ। ବିଜେପି ଏହାକୁ ସମର୍ଥନ କରୁନାହିଁ ବୋଲି ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି।
ରାଜନୀତି ସହ ଯୋଡ଼ି ହେଉଛି ଖାଦ୍ୟ ପ୍ରସଙ୍ଗ: ବଙ୍ଗାଳରେ ବିଧାନସଭା ନିର୍ବାଚନ ପୂର୍ବରୁ ମାଂସାହାରକୁ ନେଇ ରାଜନୈତିକ ତର୍କ ଦେଖିବାକୁ ମିଳିଥିଲା। ବିଜେପି କ୍ଷମତାକୁ ଆସିଲେ ବଙ୍ଗାଳର ସଂସ୍କୃତି ଓ ପରମ୍ପରା ଉପରେ ନିଜ ଚିନ୍ତାଧାରା ଥୋପିବାକୁ ଚେଷ୍ଟା କରିପାରେ ବୋଲି ବିରୋଧୀମାନେ ଅଭିଯୋଗ କରିଥିଲେ। ଏବେ ଦୁର୍ଗାପୂଜା ପୂର୍ବରୁ ନନ୍ଭେଜ୍କୁ ନେଇ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଆହ୍ୱାନ ଓ ଶମିକ ଭଟ୍ଟାଚାର୍ୟ୍ୟଙ୍କ ପ୍ରତିକ୍ରିୟା ରାଜନୈତିକ ମାହୋଲକୁ ଆହୁରି ଗରମ କରିଛି। ଧର୍ମ, ପରମ୍ପରା ଓ ବ୍ୟକ୍ତିଗତ ଖାଦ୍ୟ ପସନ୍ଦକୁ ନେଇ ଏହି ବିତର୍କ ଆଗକୁ କେଉଁ ରୂପ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

