ବରଗଡ଼ରେ ଚାଞ୍ଚଲ୍ୟ! ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ଆଗଲପୁର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ଏହି ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି।

ବରଗଡ଼ : ବରଗଡ଼ ଜିଲ୍ଲା ଆଗଲପୁରର ଜଣେ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଅଚ୍ୟୁତାନନ୍ଦ ନାୟକ। ସିନାଜୋରି-କେବାଡ଼ କେନାଲ ରୋଡ୍‌ରେ ତାଙ୍କ ମୃତଦେହ ମିଳିଛି।

ଅଚ୍ୟୁତାନନ୍ଦଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଡୁଙ୍ଗୁରିପାଲି ଓ ବରପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଅଚ୍ୟୁତାନନ୍ଦଙ୍କ ବାପା ସଭାପତି ନାୟକ କହିଛନ୍ତି, ଅଚ୍ୟୁତାନନ୍ଦ ଗତକାଲି କାର୍‌ରେ ବରଗଡ଼ ଯାଇଥିଲେ। କେହି ଜଣେ ତାଙ୍କୁ ବରଗଡ଼ ଆସି ଟଙ୍କା ନେଇଯିବାକୁ କହିଥିଲେ। ପରେ ତାଙ୍କ ମୃତଦେହ କେନାଲ ରୋଡ୍‌ରୁ ମିଳିଥିଲା।

ଟଙ୍କା କାରବାରକୁ ନେଇ ଏହି ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏଥିରେ ଏକାଧିକ ଲୋକ ସାମିଲ ଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି।

ଅଚ୍ୟୁତାନନ୍ଦ କୌଣସି ରାଜନୈତିକ ଦଳରେ ନଥିଲେ। ତେବେ ଏହି ହତ୍ୟା ପଛରେ ଟଙ୍କା କାରବାର ସହ ରାଜନୈତିକ କାରଣ ମଧ୍ୟ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି, ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ଏହା ଡୁଙ୍ଗୁରିପାଲି ନା ବରପାଲି ଥାନା ଅଧୀନରେ ଆସୁଛି, ତାହା ଜଣାପଡ଼ିନାହିଁ। ସୀମା ନିର୍ଦ୍ଧାରଣ ପାଇଁ ତହସିଲଦାରଙ୍କୁ କୁହାଯାଇଛି।