ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ; କାଲି ଶପଥ ଗ୍ରହଣ ଉତ୍ସବ

୨୦ ବର୍ଷର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା: ବିହାରରେ ପ୍ରଥମ ଥର ବିଜେପି ସରକାର

ବିହାର : ବିହାର ରାଜନୀତିରେ ଆଜି ଏକ ଅଧ୍ୟାୟର ସମାପ୍ତି ଘଟିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ସହିତ ବିହାରରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଦୀର୍ଘ ପ୍ରତୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି ଯେ, ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବେ। ବିହାରରେ ଏବେ ‘ନୀତିଶ ଯୁଗ’ର ଅନ୍ତ ଘଟିଛି ଏବଂ ‘ସମ୍ରାଟ ଯୁଗ’ର ଆରମ୍ଭ ହେବାକୁ ଯାଉଛି। ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାମ ଉପରେ ମୋହର ବାଜିଛି।

ସମ୍ରାଟ ଚୌଧୁରୀ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୫ ତାରିଖ ସକାଳ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯଦିଓ ଏନେଇ ଆନୁଷ୍ଠାନିକ ଘୋଷଣା ହେବା ବାକି ଅଛି। ସୂଚନାଯୋଗ୍ୟ ଯେ, ନୀତିଶ କୁମାର ପ୍ରାୟ ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଏବଂ ଆଜି ତାଙ୍କ ଇସ୍ତଫା ସହିତ ଏହି ଦୀର୍ଘ ପାଳିର ସମାପ୍ତି ହୋଇଛି।

ନୀତିଶ ନିଜର ଶେଷ କ୍ୟାବିନେଟ୍ ବୈଠକରେ ଇସ୍ତଫା ଦେବା କଥା କହିଥିଲେ। ଏହା ପରେ ସେ ସମ୍ରାଟ ଚୌଧୁରୀ ଏବଂ ବିଜୟ ଚୌଧୁରୀଙ୍କ ସହ ରାଜଭବନ ଯାଇ ଇସ୍ତଫା ପତ୍ର ଦେଇଥିଲେ। ନୀତିଶଙ୍କ ଇସ୍ତଫା ପରେ ଏନଡିଏ (NDA) ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀଙ୍କ ଉପରେ ମୋହର ବାଜିଥିଲା ।