ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହା ପରେ ପ୍ରଥମେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦଳର ନେତା ଭାବେ ସମ୍ରାଟ ଚୌଧୁରୀଙ୍କ ନାମରେ ମୋହର ବାଜିଥିଲା । ଏହା ପରେ ବିଧାନମଣ୍ଡଳ ସଭାଗୃହରେ ଏନଡିଏ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ରାଟ ଚୌଧୁରୀଙ୍କୁ ବିହାର ନୂଆ ମୁଖ୍ୟମନ୍ତ୍ରୀ ହେବା ଲାଗି ମୋହର ବାଜିଥିଲା ।
ନୀତିଶ କୁମାର ସମ୍ରାଟ ଚୌଧୁରୀଙ୍କୁ ଫୁଲମାଳ ପିନ୍ଧାଇ ତାଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ଭାବୀ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ସମ୍ରାଟ ଚୌଧୁରୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଏହା ତାଙ୍କ ପାଇଁ ଏକ ପଦବୀ ନୁହେଁ ବରଂ ଜନତାଙ୍କ ସେବା କରିବା ପାଇଁ ଏକ ସୁଯୋଗ । ସେ ଜନତାଙ୍କ ଆଶା ପୂରଣ କରିବେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଧନ୍ୟବାଦ ଜଣାଇଥିଲେ ।
ପ୍ରାୟ ଦୁଇ ଦଶନ୍ଧି ଧରି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପରେ ନିତୀଷ କୁମାର ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହା ପରେ ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବେ । ବିଜେପି ବିଧାୟକ ତାଙ୍କୁ ଦଳର ନେତା ଭାବେ ଚୟନ କରିଛନ୍ତି । ଆସନ୍ତା କାଲି ସମ୍ରାଟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତା ଶପଥ ପାଠ କରିବେ ।
View this post on Instagram
ସମ୍ରାଟ ଚୌଧୁରୀ ନିଜର ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ, ସେ ବିଶ୍ୱବିଦ୍ୟାଳୟରୁ ‘ପ୍ରି-ଫାଉଣ୍ଡେସନ କୋର୍ସ’ ସମାପ୍ତ କରିଛନ୍ତି। ଏହି କୋର୍ସଟି ଏକ ସାଧାରଣ ଡିଗ୍ରୀ ସହିତ ସମାନ କି ନୁହେଁ, ସେ ନେଇ ବିବାଦ ଲାଗି ରହିଛି। ସେ ନିଜର ‘ଡକ୍ଟର ଅଫ୍ ଲେଟର୍ସ’ (D.Litt.)ସମ୍ମାନଜନକ ଉପାଧି ବିଷୟରେ ମଧ୍ୟ ଜଣାଇଛନ୍ତି, ଯାହାକି କୌଣସି ଆନୁଷ୍ଠାନିକ ପାଠପଢ଼ାରୁ ମିଳିଥିବା ଶୈକ୍ଷିକ ଡିଗ୍ରୀ ନୁହେଁ, ବରଂ ଏକ ପ୍ରକାରର ସମ୍ମାନ ଅଟେ।
ବିହାରର ମୁଙ୍ଗେର ଜିଲ୍ଲାରେ ସମ୍ରାଟ ଚୌଧୁରୀଙ୍କର ଏକ ଶକ୍ତ ପ୍ରଭାବ ରହିଛି, ଯେଉଁଠାରେ ତାରାପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅବସ୍ଥିତ। ତାରାପୁରର ଏକ ଦୀର୍ଘ ରାଜନୈତିକ ପରମ୍ପରା ରହିଛି ଏବଂ ରାଜନୈତିକ ଭାବେ ସଚେତନ ଭୋଟରଙ୍କ ଯୋଗୁଁ ରାଜ୍ୟରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି।
