ବିବାହ ବିଚ୍ଛେଦ ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଅଲଗା ହେବେନି ସଙ୍ଗୀତା-ବିଜୟ, ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କଲେ ପତ୍ନୀ
ବିବାହ ବିଚ୍ଛେଦ ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଅଲଗା ହେବେନି ସଙ୍ଗୀତା-ବିଜୟ
ଓଡ଼ିଶା ଭାସ୍କର ଡେସ୍କ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ପତ୍ନୀ ସଙ୍ଗୀତା, ଚେଙ୍ଗଲପଟ୍ଟୁ ପାରିବାରିକ କୋର୍ଟରେ ଦାଖଲ କରିଥିବା ନିଜର ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ସଙ୍ଗୀତା ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇ ଏହି ବିବାହ ବିଚ୍ଛେଦ ମାମଲାକୁ ଆଗକୁ ବଢ଼ାଇବାକୁ ଚାହୁଁନଥିବା କଥା ସ୍ପଷ୍ଟ କରିଥିଲେ।
ତାଙ୍କର ଏହି ନିବେଦନ ଆଧାରରେ, କୋର୍ଟ ଆବେଦନ ପ୍ରତ୍ୟାହାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଏବଂ ମାମଲାର ଅନ୍ତ ଘଟାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସଙ୍ଗୀତା ପାରିବାରିକ କୋର୍ଟ ମାମଲା FCSMOP No.102/2026 ରେ ଆବେଦନ ପ୍ରତ୍ୟାହାର କରିବା ପାଇଁ ଆବେଦନ କରିଥିଲେ।
ଭିଡିଓ କନଫରେନ୍ସିଂ ଜରିଆରେ ଦିଆଯାଇଥିବା ତାଙ୍କର ବକ୍ତବ୍ୟକୁ କୋର୍ଟ ରେକର୍ଡ କରିଛନ୍ତି। ଅନ୍ୟପଟେ, ପ୍ରତିପକ୍ଷ (ବିଜୟ) ଙ୍କ ଓକିଲଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ଏହି ଆବେଦନ ପ୍ରତ୍ୟାହାର ନେଇ ସେମାନଙ୍କ ପକ୍ଷରୁ କୌଣସି ଆପତ୍ତି ପ୍ରକାଶ କରାଯାଇନଥିଲା। କୋର୍ଟ ସଙ୍ଗୀତାଙ୍କୁ ଆବେଦନ ପ୍ରତ୍ୟାହାର ପାଇଁ ଅନୁମତି ଦେବା ସହ ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ନୂତନ ଆବେଦନ ଦାଖଲ କରିବା ପାଇଁ ସ୍ୱାଧୀନତା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସଙ୍ଗୀତା ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏହି ଛାଡ଼ପତ୍ର ଆବେଦନ ଦାଖଲ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବିଜୟ ଜଣେ ଅଭିନେତ୍ରୀଙ୍କ ସହ ସମ୍ପର୍କରେ ଥିଲେ, ଯାହା ବିଷୟରେ ସେ ୨୦୨୧ ମସିହାରେ ଜାଣିବାକୁ ପାଇଥିଲେ। ବିଜୟ ଏହି ସମ୍ପର୍କ ଶେଷ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଳନ କରିନଥିଲେ।
ଏହା ସହିତ ସଙ୍ଗୀତା ଅଭିଯୋଗ କରିଥିଲେ ଯେ ବିଜୟ ତାଙ୍କୁ ସାମାଜିକ ଓ ବ୍ୟାବସାୟିକ ଜୀବନରୁ ଦୂରେଇ ରଖିଥିଲେ ଏବଂ ଅଭିନେତ୍ରୀଙ୍କ ସହ ବିଦେଶ ଭ୍ରମଣ ଓ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା।
ଏହାଦ୍ୱାରା ସେ ଏବଂ ତାଙ୍କର ଦୁଇ ସନ୍ତାନ ଜେସନ ସଞ୍ଜୟ ଓ ଦିବ୍ୟା ସାଶା ମାନସିକ ନିର୍ଯାତନା ଏବଂ ଅପମାନ ସହିଥିବା କଥା ସେ ଦର୍ଶାଇଥିଲେ। ମାତ୍ର ବର୍ତ୍ତମାନ ସେ ଏହି ସମସ୍ତ ଅଭିଯୋଗ ଓ ମାମଲାକୁ ପ୍ରତ୍ୟାହାର କରିନେଇଛନ୍ତି।


