ଜିମ୍ବାୱେ ଗସ୍ତା ପାଇଁ ଟିମ୍ ଇଣ୍ଡିଆ; ବାଦ ପଡ଼ିଲେ ସଞ୍ଜୁ ସାମସନ
ଘୋଷଣା ହୋଇଥିବା ଦଳରେ ସାମସନ ନାହାନ୍ତି। ସାମସନଙ୍କୁ ବିଶ୍ରାମ ଦିଆଯାଇଛି ନା ତାଙ୍କୁ ଡ୍ରପ କରାଯାଇଛି, ସେନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କିଛି କହି ନାହାନ୍ତି।
ମୁମ୍ବାଇ: ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବା ଜିମ୍ବାୱେ ବିପକ୍ଷ ୩ ଟିକିଆ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି ଓପନର ସଞ୍ଜୁ ସାମସନ। ଆଜି ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ) ଚୟନ କମିଟି ଆଗାମୀ ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି।
ଘୋଷଣା ହୋଇଥିବା ଦଳରେ ସାମସନ ନାହାନ୍ତି। ସାମସନଙ୍କୁ ବିଶ୍ରାମ ଦିଆଯାଇଛି ନା ତାଙ୍କୁ ଡ୍ରପ କରାଯାଇଛି, ସେନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କିଛି କହି ନାହାନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଖେଳିଥିବା ବୈଭବ ସୂର୍ୟ୍ୟବଂଶୀ ଜିମ୍ବାୱେ ବିପକ୍ଷ ସିରିଜରେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି।
ସଞ୍ଜୁ ୨୦୨୫ ଟି-୨୦ ବିଶ୍ୱକପରେ ପ୍ଲେୟାର ଅଫ ଦି’ ସିରିଜ ହୋଇଥିଲେ। କିନ୍ତୁ ଆୟର୍ଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ସେ ଫେଲ ମାରିଥିଲେ।
ଏବେ ସଞ୍ଜୁଙ୍କ ବଦଳରେ ମଧ୍ୟକ୍ରମ ବ୍ୟାଟର ରିଙ୍କୁ ସିଂହଙ୍କୁ ପୁଣି ଭାରତୀୟ ଟିମରେ ସାମିଲ କରାଯାଇଛି। ଆଇପିଏଲରେ କମାଲ କରିଥିବା ଆରସିବି ଅଧିନାୟକ ରଜତ ପାଟିଦାରଙ୍କୁ ବିସିସିଆଇ ପକ୍ଷରୁ ଅଣଦେଖା କରାଯାଇଛି।
ଜିମ୍ବାୱେ ବିପକ୍ଷ ସିରିଜରେ ଅନେକ ନୂଆ ମୁହଁକୁ ସୁଯୋଗ ମିଳିଛି। ହର୍ଷ ଦୁବେ, ୟାଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଓ ପ୍ରବସିମରନ ସିଂହଙ୍କ ଭଳି ଖେଳାଳି ୧୫ ଜଣିଆ ସ୍କ୍ୱାଡରେ ରହିଛନ୍ତି। ଭାରତ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଜିମ୍ବାୱେ ସିରିଜ ଖେଳିବ। ତିଳକ ବର୍ମା ଉପ ଅଧିନାୟକ ପଦ ବଜାୟୀ ରଖିଛନ୍ତି।
🚨 News 🚨#TeamIndia squad announced for the 3️⃣-match T20I series against Zimbabwe.
More Details ▶️ https://t.co/sC19D5eW8y#ZIMvIND pic.twitter.com/ctbM5gFMtY
— BCCI (@BCCI) July 6, 2026
ଇଂଲଣ୍ଡ ବିପକ୍ଷ ସିରିଜ ଖେଳୁଥିବା ରବି ବିଷ୍ଣୋଇ, ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ଭଳି ଖେଳାଳି ଜିମ୍ବାୱେ ବିପକ୍ଷ ସିରିଜରେ ନଜର ଆସିବେ ନାହିଁ। ଈଶାନ କିଶନ ୱିକେଟ କିପର ଭାବେ ସ୍ଥାନ ପାଇଥିବା ବେଳେ ଦଳର ଅଭିଷେକ ଶର୍ମା, ଶିବମ ଦୁବେ ରହିଛନ୍ତି।
ଦ୍ୱିତୀୟ ୱିକେଟ କିପର ଭାବେ ପ୍ରଭସିମରନ ସିଂହଙ୍କୁ ସୁଯୋଗ ମିଳିଛି। ସୂର୍ୟ୍ୟାଂଶ ଶେଡଗେ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ବରୁଣ ଚକ୍ରବର୍ତ୍ତୀ ସ୍କ୍ୱାଡରେ ଥିବା ବେଳେ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ନାହାନ୍ତି। ଜିମ୍ବାୱେ ଗସ୍ତରେ ଯାଇ ଭାରତ ଜୁଲାଇ ୨୩ରେ ପ୍ରଥମ, ୨୫ରେ ଦ୍ୱିତୀୟ ଓ ଜୁଲାଇ ୨୬ରେ ତୃତୀୟ ଟି-୨୦ ଖେଳିବ।
ଟିମ୍ ଇଣ୍ଡିଆ: ଶ୍ରେୟସ ଆୟର(ଅଧିନାୟକ), ତିଳକ ବର୍ମା(ଉପ ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଈଶାନ କିଶନ, ପ୍ରଭସିମରନ ସିଂହ, ଶୁଭମ ଦୁବେ, ସୂର୍ଯ୍ୟାଂଶ ହେଡଗେ, ରିଙ୍କୁ ସିଂହ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟାଶ ଠାକୁର, ଅଶୋକ ଶର୍ମା ଓ ମୟଙ୍କ ଯାଦବ ଅଛନ୍ତି।


