fbpx

ନିର୍ବାଚନ ପୂର୍ବରୁ ଅଘୋଷିତ ସରପଞ୍ଚ ପଦବୀ ନିଲାମ ପ୍ରସଙ୍ଗ, ନିର୍ବାଚନ କମିଶନଙ୍କ ଜବାବ ତଲବ

ବଲାଙ୍ଗୀର, (ଭାସ୍କର ନ୍ୟୁଜ) : ଚଳିତ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ପୂର୍ବରୁ ଅଘୋଷିତ ସରପଞ୍ଚ ଚୟନ ହୋଇଛି । ସରପଞ୍ଚ ଚୟନ ପାଇଁ ଆପଣା ଯାଇଛି ନୂଆ ଫଣ୍ଡା । ନିଲାମ ମାଧ୍ୟମରେ ସରପଞ୍ଚ ଚୟନ କରାଯାଇଛି । ନିଲାମୀରେ ୪୪ ଲକ୍ଷ ଟଙ୍କାରେ ନିଲାମ ହେଲେ ସରପଞ୍ଚ । ଯାହା ସଂପୂର୍ଣ୍ଣ ବେଆଇନ ଓ ଅଣସାମ୍ବିଧାନିକ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବିଲାଇସର୍ଡା ପଞ୍ଚାୟତରୁ । ନିଲାମୀରେ ୪୪ ଲକ୍ଷ ୧୦ ହଜାର ଟଙ୍କାରେ ଅଘୋଷିତ ସରପଞ୍ଚ ଚୟନ କରାଯାଇଛି । ତାହା ପୁଣି ବିନା ସର୍ତରେ । ଏଥିପାଇଁ ଆସନ୍ତା ୧୮ ତାରିଖ ମଧ୍ୟରେ ସବୁ ଟଙ୍କା ଜମା କରିବାକୁ ନିଲାମ ଜିତି ଥିବା ପ୍ରାର୍ଥୀକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମବାସୀ । ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନ ବଲାଙ୍ଗୀର ଜିଲ୍ଲାପାଳଙ୍କ ରିପୋର୍ଟ ତଲବ କରିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ୨ଟା ସମୟରେ ବିଲାଇସର୍ଡା ମନ୍ଦିର କମିଟି ପକ୍ଷରୁ ପାଠାଗାର ଆଗରେ ଏକଜୁଟ ହୋଇ ନିଲାମ ଡକାଯାଇଥିଲା । ଏଥିରେ ସମସ୍ତ ଆଶାୟୀ ସରପଞ୍ଚ ପ୍ରାର୍ଥୀକୁ ବାଧ୍ୟବାଧକତା ଭାବେ ଡାକି ନିଲାମରେ ସାମିଲ ହେବାକୁ କୁହାଯାଇଥିଲା । ଏପରିକି ନିଲାମରେ କମ ଡାକ ଡାକୁଥିବା ପ୍ରାର୍ଥୀକୁ ନୋମିନେସନ ନ କରିବାକୁ ତାଗିଦ୍‌ କରାଯାଇଥିଲା । ନିଲାମରେ ସରପଞ୍ଚ ଆଶାୟୀ ପ୍ରାର୍ଥୀ ରାଜୀବ ଲୋଚନ ପଣ୍ଡା ୨୧ ଲକ୍ଷରୁ ନିଲାମ ଆରମ୍ଭ କରିଥିବା ବେଳେ ସୁଶାନ୍ତ ଛତ୍ରିଆ ସର୍ବାଧିକ ୪୪ ଲକ୍ଷ ୧୦ ହାଜର ଟଙ୍କା ଡାକିବା ପରେ ନିଲାମ ଶେଷ ହୋଇଥିଲା ବୋଲି ଅଭିଯୋଗ ହୋଇଛି । ବିଲାଇସର୍ଡା ପଞ୍ଚାୟତ ତିନୋଟି ଗାଁ ବିଲାଇସର୍ଡା, କଶ୍ରୁପାଲି ଓ ବନ୍ଦନକଟାକୁ ନେଇ ଗଠିତ । କେବଳ ବିଲାଇସର୍ଡାରେ ୧୭ ଶହରୁ ଅଧିକ ଭୋଟର ରହିଥିବା ବେଳେ ଅନ୍ୟ ଦୁଇ ଗାଁ ବନ୍ଦନକଟା ଓ କଶ୍ରୁପାଲିର ଭୋଟର ସଂଖ୍ୟା ମିଶି ୧୨ ଶହ ଭୋଟର ରହିଛନ୍ତି । ଯେହେତୁ ବିଲାଇସର୍ଡାରେ ଅଧିକ ଭୋଟର ସଂଖ୍ୟା ରହିଛି, ତେଣୁ ମନ୍ଦିର କମିଟି ମନମାନି କରି ସରପଞ୍ଚ ପ୍ରାର୍ଥୀକୁ ମିଟିଂ ବାହାନାରେ ଡାକି ନିଲାମରେ ସାମିଲ ହେବାକୁ ବାଧ୍ୟ କରିଥିଲେ ।  ଅନ୍ୟ ପ୍ରାର୍ଥୀକୁ ପଞ୍ଚାୟତ ନିର୍ବାଚନରେ ନୋମିନେସନ କରାଇ ନଦେବାକୁ ଚେତାବନୀ ଦେଇଥିଲେ । ପଞ୍ଚାୟତ ନିର୍ବାଚନକୁ ନିଲାମି କରି ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ତେବେ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ନିୟମ ରହିଥିବା ବେଳେ ୪୪ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିବା ନିର୍ବାଚନ ଆଚରଣ ବିଧିର ଉଲଂଘନ କରାଯାଇଛି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ପ୍ରାର୍ଥୀ ଓ ମତଦାତାଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏହା ଉପରେ ନିର୍ବାଚନ ଆୟୋଗ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି । ସେପଟେ ଘଟଣା ବାବଦରେ ଅବଗତ ଥିବା ବଲାଙ୍ଗୀର ଜିଲ୍ଲାପାଳ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହାର ତଦନ୍ତ ହେବେ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.