fbpx

ସରପଞ୍ଚ ପ୍ରାର୍ଥୀଙ୍କ ଅଜବ ଇସ୍ତାହାର: କହିଲେ ଗାଁରେ କରାଇବେ ତିନି ଏୟାରପୋର୍ଟ, ଦିଲ୍ଲୀକୁ ଗଡ଼ିବ ମେଟ୍ରୋ

ନୂଆଦିଲ୍ଲୀ: ନିର୍ବାଚନରେ ସମୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ତଥା ପ୍ରତିନିଧିମାନେ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥାନ୍ତି । ନିକଟରେ ଏହିଭଳି ଜଣେ ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ପାଇଁ କିଛି ଏଭଳି ପ୍ରତିଶ୍ରୁତି ଦେଇଥିଲେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ହରିୟାଣା ସିରାସଦ ଗ୍ରାମର ଜୟକରନ ନାମକ ଜଣେ ଆଶାୟୀ ଲାଥୱାଲ ସରପଞ୍ଚ ପଦବୀ ପାଇଁ ଲଢ଼ୁଥିଲେ । ନିର୍ବାଚନ ପାଇଁ ସେ ନିର୍ବାଚନୀ ଇସ୍ତାହାର ମଧ୍ୟ ପ୍ରକାଶ କରିଥିଲେ । କିନ୍ତୁ ତାଙ୍କର ଏହି ନିର୍ବାଚନୀ ଇସ୍ତାହାର ପୋଷ୍ଟର ଏବେ ଭାଇରାଲ ହେବାରେ ଲାଗିଛି ।

ପୋଷ୍ଟର ପ୍ରଥମରେ ତ’ ସେ ତାଙ୍କର ଗୁଣ ବିଷୟରେ ଲେଖିଛନ୍ତି ଏବଂ ବ୍ୟକ୍ତିତ୍ୱ ବିଷୟରେ ଲେଖିଛନ୍ତି ଯେ ସେ ପରିଶ୍ରମୀ, ସଚ୍ଚୋଟ, ଶିକ୍ଷିତ । କିନ୍ତୁ ଆଶ୍ଚର୍ଯ୍ୟ ତ’ ସେତେବେଳେ ଲାଗିବ ଯେତେବେଳେ ଆପଣ ତାଙ୍କର ଦ୍ୱିତୀୟ ପୋଷ୍ଟର ପଢ଼ିବେ । ଯେଉଁଥିରେ ଲାଥୱାଲ କିଛି ଏଭଳି ପ୍ରତିଶ୍ରୁତି ବିଷୟରେ ଲେଖିଛନ୍ତି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ପ୍ରତିଶ୍ରୁତିରେ ସେ ଏଭଳି କିଛି ଅବାସ୍ତବ ପ୍ରତିଶ୍ରୁତି ଦେଇଥିଲେ । ସେ ନିର୍ବାଚନୀ ଇସ୍ତାହାରରେ କହିଥିଲେ ଯେ ସେ ଗାଁରେ ତିନିଟି ଏୟାରପୋର୍ଟ ନିର୍ମାଣ କରାଇବେ । ପେଟ୍ରୋଲ ଦାମ୍ ୨୦ ଟଙ୍କା ପ୍ରତି ଲିଟର କରାଇବେ । ଏହା ସହ ସେ କହିଥିଲେ ଯେ ସେ ଜିଏସଟି ଶେଷ କରିବେ ଏବଂ ଏହା ସହ ଗ୍ୟାସ ସିଲିଣ୍ଡର ଦାମ୍ ୧୦୦ ଟଙ୍କା କରିଦେବେ ।

ଏତିକି ନୁହେଁ ସେ ଗ୍ରାମବାସୀଙ୍କୁ ମାଗଣା ଇଣ୍ଟରନେଟ୍, ମହିଳାଙ୍କୁ ମାଗଣା ମେକଅପ୍ କିଟ୍, ପ୍ରତି ପରିବାରକୁ ମାଗଣା ବାଇକ୍, ଯେଉଁମାନଙ୍କୁ ମଦ ପିଇବା ପସନ୍ଦ ସେମାନଙ୍କୁ ପ୍ରତିଦିନ ଗୋଟିଏ ଗୋଟିଏ ମଦ ବୋତଲ ମଧ୍ୟ ଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲେ । ସେ ଆହୁରି କହିଥିଲେ ଯେ ଗାଁକୁ ମେଟ୍ରୋ ଯୋଗଯୋଗ କରାଯିବ ଦିଲ୍ଲୀରୁ । ଏମିତିକି ଲୋକଙ୍କୁ ହେଲିକପ୍ଟର ସେବା ମଧ୍ୟ ମିଳିବା ନେଇ ସେ ପ୍ରତିଶ୍ରୁତି ଦେଇଥିଲେ । ତେବେ ତାଙ୍କର ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଇପିଏସ ଅରୁଣ ବୋଥ୍ରା ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି ।

Get real time updates directly on you device, subscribe now.