fbpx

ସରପଞ୍ଚ, ନାଏବ ସରପଞ୍ଚ ଏବଂ ୱାର୍ଡ ସଭ୍ୟଙ୍କୁ ପଦରୁ ହଟାଇ ପାରିବେ ଜିଲ୍ଲାପାଳ: ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଜଣେ ଜିଲ୍ଲାପାଳ ଚାହିଁବେ, ତେବେ ଜଣେ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରିଦେଇ ପାରିବେ । ଏନେଇ ଆଇନଗତ କ୍ଷମତା ଜିଲ୍ଲାପାଳଙ୍କର ରହିଛି ବୋଲି ହାଇକୋର୍ଟ ଏକ ରାୟରେ କହିଛନ୍ତି । ନୂଆପଡ଼ା ବ୍ଲକର ଜଣେ ପ୍ରାର୍ଥୀଙ୍କୁ ୨୧ ବର୍ଷ ହୋଇନଥିବାରୁ ଜିଲ୍ଲାପାଳ ତାଙ୍କୁ ଅସିଦ୍ଧ ଘୋଷଣା କରିବା ସହ ସରପଞ୍ଚ ପଦରୁ ବହିଷ୍କାର କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ବହିଷ୍କୃତ ସରପଞ୍ଚ ମନୀତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ହାଇକୋର୍ଟର ଜଣିକିଆ ବିଚାରପତି ଜିଲ୍ଲାପାଳଙ୍କ ଆଦେଶକୁ ରଦ୍ଦ କରିଥିଲେ । ପରେ ଏହି ଆଦେଶ ବିରୋଧରେ ହାଇକୋର୍ଟରେ ରିଟ୍ ଅପିଲ କରାଯାଇଥିଲା । ଦୁଇଜଣଙ୍କ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପରେ ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରିବା ସହ ଜିଲ୍ଲାପାଳଙ୍କ ଆଦେଶକୁ କାଏମ୍ ରଖିଛନ୍ତି । ୨୦୧୭ ମସିହା ଫେବୃଆରୀ୨୭ରେ ମନୀତା ସଲିହା ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ଜିତିଥିଲେ । ମାତ୍ର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳକୁ ତାଙ୍କୁ ୨୧ ବର୍ଷ ହୋଇନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ମନୀତାଙ୍କୁ ସରପଞ୍ଚ ପଦରୁ ବହିଷ୍କାର କରିଥିଲେ । ତେବେ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ପଦରେ ରହିବେ କି ନାହିଁ ସେ କ୍ଷେତ୍ରରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ସର୍ବମାନ୍ୟ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.