fbpx

‘ଅଗ୍ନିପଥ’ ବିରୋଧରେ ‘ସତ୍ୟାଗ୍ରହ’; ଯୁବ ପିଢିଙ୍କ ସମର୍ଥନରେ ଜନ୍ତର-ମନ୍ତରରେ ଧାରଣାରେ ବସିଲା କଂଗ୍ରେସ

ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସମଗ୍ର ଦେଶରେ ତୀବ୍ର ବିରୋଧ କରାଯାଉଛି। ଏହି କ୍ରମରେ ଯୁବକଙ୍କ ସମର୍ଥନରେ ସାମ୍ନାକୁ ଆସିଛି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ। ଦଳ ରବିବାର ଜନ୍ତର ମନ୍ତରରେ ସତ୍ୟାଗ୍ରହ କରିଛି। ଏହାକୁ ଦୃଷ୍ଟିରେ ରଖି ଜନ୍ତର ମନ୍ତରରେ ପୋଲିସ ଏବଂ ରାପିଡ୍ ଆକ୍ସନ ଫୋର୍ସକୁ ମୁତୟନ କରାଯାଇଛି।

କଂଗ୍ରେସର ସାଂସଦ, କାର‌୍ୟ୍ୟକାରିଣୀ କମିଟିର ସଦସ୍ୟ ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟିର ପଦାଧିକାରୀ ଜନ୍ତର ମନ୍ତରରେ ସତ୍ୟାଗ୍ରହରେ ସାମିଲ୍ ହୋଇଛନ୍ତି। କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଅଗ୍ନିପଥ ଯୋଜନା ବିରୋଧ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ପ୍ରିୟଙ୍କା କହିଛନ୍ତି, ଦେଶର ସେବା କରିବା ପାଇଁ ଯୁବକଙ୍କୁ ଜୀବନ ସାରା ସେନାରେ ନିଯୁକ୍ତି ମିଳିବା ଉଚିତ୍। ସଂପ୍ରତି ଯାହା ହେଉଛି ଭୁଲ୍ ହେଉଛି। ଏହି ଯୋଜନାକୁ ସରକାର ପ୍ରତ୍ୟାହାର କରିବା ଉଚିତ୍।

ଦଳର ନେତା କହିଛନ୍ତି, ସତ୍ୟାଗ୍ରହ କରିବାର ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ଅଗ୍ନିପଥ ଯୋଜନା ଆମ ଦେଶ ଯୁବ ପିଢିଙ୍କୁ ଆକ୍ରୋଶିତ କରିଛି। ସେମାନେ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ତାଙ୍କ ସହିତ ଛିଡା ହେବା ଆମର ଦାୟିତ୍ଵ ବୋଲି କଂଗ୍ରେସ ନେତା କହିଛନ୍ତି।

ସମଗ୍ର ଦେଶରେ ଏହି ଯୋଜନା ବିରୋଧରେ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ରାଜ୍ୟରେ ଆନ୍ଦୋଳନ ହିଂସାର ରୂପ ନେଇଛି। ଅଗ୍ନିପଥ ଯୋଜନା ବିରୋଧରେ ଆଜି ବି ଦେଶର ଅଲଗା ଅଲଗା ଭାଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଶନିବାର ଅନେକ ସଂଗଠନ ବିହାର ବନ୍ଦ ଡାକରା ଦେଇଥିଲେ। ପ୍ରଦର୍ଶନକାରୀ ଅନେକ ଟ୍ରେନ ପୋଡି ଦେଇଥିଲେ।

 

Get real time updates directly on you device, subscribe now.