ଲୁଚି ଛପି ଇରାନ୍ ଉପରେ ଆକ୍ରମଣ କରୁଛି ଏହି ମୁସଲିମ୍ ଦେଶ, ସାମ୍ନାକୁ ଆସିଲା ଏୟାରଷ୍ଟ୍ରାଇକକୁ ନେଇ ସାଂଘାତିକ ସତ
ଲୁଚି ଛପି ଇରାନ୍ ଉପରେ ଆକ୍ରମଣ କରୁଛି ଏହି ମୁସଲିମ୍ ଦେଶ
Iran-US War: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସମ୍ବାଦ ସଂସ୍ଥା ‘ରଏଟର୍ସ’ର ଦାବି ଅନୁଯାୟୀ, ଗତ ମାର୍ଚ୍ଚ ମାସ ଶେଷ ଭାଗରେ ସାଉଦି ଆରବ ଗୋପନୀୟ ଭାବେ ଇରାନ ଉପରେ ଏୟାରଷ୍ଟ୍ରାଇକ ବା ବିମାନ ଆକ୍ରମଣ କରିଥିଲା । ପୂର୍ବରୁ ଇରାନ ପକ୍ଷରୁ ସାଉଦି ଉପରେ ହୋଇଥିବା ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣର ଜବାବ ଦେବାକୁ ଯାଇ ସାଉଦି ଏହି ପଦକ୍ଷେପ ନେଇଥିବା କୁହାଯାଉଛି।
ମାର୍ଚ୍ଚ ଶେଷ ସପ୍ତାହରେ ହୋଇଥିଲା ଆକ୍ରମଣ
ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାର୍ଚ୍ଚ ଶେଷ ସପ୍ତାହରେ ଯେତେବେଳେ ଇରାନ ପକ୍ଷରୁ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସୈନ୍ୟ ଘାଟି ଉପରେ ଆକ୍ରମଣ କରାଯାଉଥିଲା, ସେହି ସମୟରେ ସାଉଦି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସାଉଦି ଆରବ ନିଜର ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଥିବା ବେଳେ ଇରାନର କେଉଁ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା ଏବଂ କେତେ କ୍ଷୟକ୍ଷତି ହୋଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଉଭୟ ଦେଶର ନୀରବତା ଏବଂ କୂଟନୈତିକ ସମ୍ପର୍କ
ଆଶ୍ଚର୍ଯ୍ୟର କଥା ହେଉଛି, ସାଉଦି ଆରବ କିମ୍ବା ଇରାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଆକ୍ରମଣକୁ ନେଇ କୌଣସି ଆଧିକାରିକ ବୟାନ ଜାରି କରାଯାଇ ନାହିଁ। ରିପୋର୍ଟ ଅନୁସାରେ, ଯୁଦ୍ଧ ଚାଲିଥିବା ସତ୍ତ୍ୱେ ରିୟାଦରେ ଥିବା ଇରାନ ରାଷ୍ଟ୍ରଦୂତଙ୍କ ଜରିଆରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିଲା। ସାଉଦି ଆରବ ଆକ୍ରମଣ ପୂର୍ବରୁ ହିଁ ଇରାନକୁ ଏନେଇ ସୂଚନା ଦେଇଥିବା ମଧ୍ୟ ଦାବି କରାଯାଉଛି।
ଆକ୍ରମଣ ପରେ କମିଲା ତିକ୍ତତା
୨୫ ରୁ ୩୧ ମାର୍ଚ୍ଚ ମଧ୍ୟରେ ସାଉଦି ଆରବ ଉପରେ ୧୦୫ରୁ ଅଧିକ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହୋଇଥିଲା। ସାଉଦିର ପାଲଟା ଜବାବ ପରେ ଏପ୍ରିଲ୍ ୧ ରୁ ୬ ତାରିଖ ମଧ୍ୟରେ ଏହି ଆକ୍ରମଣ ସଂଖ୍ୟା ହ୍ରାସ ପାଇ ପ୍ରାୟ ୨୫କୁ ଚାଲିଆସିଥିଲା। ଉଭୟ ଦେଶ ନିଜର ସ୍ୱାର୍ଥ ରକ୍ଷା ଏବଂ ପରିସ୍ଥିତିକୁ ଅଧିକ ନବିଗାଡ଼ିବା ପାଇଁ ତିକ୍ତତା ହ୍ରାସ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।
ସାଉଦି ଆରବର ଏହି କଡ଼ା ଚେତାବନୀ ପରେ ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରାଯାଉଛି।

