ନୀଳ ଡ୍ରମ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମୁସ୍କାନକୁ ମିଳିବନି ଫାଶୀ, ଜାଣନ୍ତୁ କାହିଁକି..
ସୌରଭ ହତ୍ୟା ମାମଲା: ମୁସ୍କାନଙ୍କ ୧୦ ମାସର ଶିଶୁ କନ୍ୟା କ’ଣ ଫାଶୀ ଦଣ୍ଡରେ ବାଧା ହେବ?
ଉତ୍ତରପ୍ରଦେଶ: ମେରଠର ଚର୍ଚ୍ଚିତ ସୌରଭ ହତ୍ୟାକାଣ୍ଡ ମାମଲାରେ ଅଦାଲତ ଅପରାଧୀ ମୁସ୍କାନ ରସ୍ତୋଗୀ ଏବଂ ସାହିଲ ଶୁକ୍ଳାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ରାୟ ପରେ ମୁସ୍କାନଙ୍କ ୧୦ ମାସର କୁନି ଝିଅକୁ ନେଇ ଆଇନଗତ ଏବଂ ସାମାଜିକ ସ୍ତରରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ସୌରଭଙ୍କ ପରିବାର ମୁସ୍କାନଙ୍କ ବଡ଼ ଝିଅକୁ ଗ୍ରହଣ କରିବାକୁ ରାଜି ଥିବାବେଳେ ଏହି ଛୋଟ ଶିଶୁଟିର ଦାୟିତ୍ୱ ନେବାକୁ ମନା କରିଦେଇଛନ୍ତି। ଏଭଳି ପରିସ୍ଥିତିରେ ଜେଲରେ ମା’ଙ୍କ ସହ ରହୁଥିବା ଏହି ନିରୀହ ଶିଶୁଟିର ଉପସ୍ଥିତି ମୁସ୍କାନଙ୍କ ଫାଶୀ ଦଣ୍ଡରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ କି? ଜେଲ୍ ମାନୁଆଲ୍ ଏବଂ ଆଇନଗତ ବ୍ୟବସ୍ଥା ଏହାକୁ ସ୍ପଷ୍ଟ କରିଥାଏ।
ଶିଶୁର ଉପସ୍ଥିତି ପଡ଼ିବ କି ପ୍ରଭାବ: ଜେଲରେ କୌଣସି ଛୋଟ ପିଲାର ତାଙ୍କ ମା’ଙ୍କ ସହ ରହିବା ଦଣ୍ଡବିଧାନ ବା ଫାଶୀ କାର୍ଯ୍ୟକାରୀ ହେବା ପ୍ରକ୍ରିୟାକୁ ପ୍ରଭାବିତ କରେ ନାହିଁ। ଆଇନ ଅନୁଯାୟୀ, ଶିଶୁଟିର ଉପସ୍ଥିତି କାରଣରୁ କୌଣସି ଦୋଷୀର ଫାଶୀ ସ୍ୱୟଂଚିତ ଭାବରେ ବନ୍ଦ ହୋଇଯାଏ ନାହିଁ। ଯେପର୍ଯ୍ୟନ୍ତ ଉଚ୍ଚ ଅଦାଲତରେ ଆପିଲ୍ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଆଇନଗତ ପଦକ୍ଷେପ ଶେଷ ହୋଇନାହିଁ, ସେପର୍ଯ୍ୟନ୍ତ କେବଳ ଆଇନଗତ ଆଧାରରେ ହିଁ ଦଣ୍ଡ ଉପରେ ରୋକ୍ ଲାଗିପାରେ, ଶିଶୁର ସ୍ଥିତି ଆଧାରରେ ନୁହେଁ।
ଆଇନଗତ ଆପିଲ୍ ଏବଂ ଅଦାଲତି ପ୍ରକ୍ରିୟା: ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ମୃତ୍ୟୁଦଣ୍ଡ ସେତେବେଳେ କାର୍ଯ୍ୟକାରୀ ହୋଇପାରିବ ନାହିଁ ଯେପର୍ଯ୍ୟନ୍ତ ସମ୍ପୃକ୍ତ ରାଜ୍ୟର ଉଚ୍ଚ ଅଦାଲତ ଏହାକୁ ଅନୁମୋଦନ ନ କରିଛନ୍ତି। ଏହା ବ୍ୟତୀତ ଦୋଷୀ ମୁସ୍କାନଙ୍କ ପାଖରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଅପିଲ୍ ଦାଖଲ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ଯଦି ସମସ୍ତ ଉଚ୍ଚ ଅଦାଲତ ମଧ୍ୟ ଏହି ଦଣ୍ଡକୁ ବଳବତ୍ତ ରଖନ୍ତି, ତେବେ ଯାଇ ଫାଶୀ ଦେବାର ରାସ୍ତା ସଫା ହୋଇଥାଏ।
ଜେଲରେ ପିଲାମାନଙ୍କ ରହିବା ସମୟସୀମା: କାରାଗାର ନିୟମାବଳୀ ଅନୁଯାୟୀ, ମହିଳା କଏଦୀମାନଙ୍କୁ ସେମାନଙ୍କର ଛୋଟ ପିଲାମାନଙ୍କୁ ପାଖରେ ରଖିବାର ସ୍ୱତନ୍ତ୍ର ଅନୁମତି ରହିଛି। ନିୟମ ଅନୁସାରେ, ଜଣେ ମହିଳା କଏଦୀ ତାଙ୍କ ସନ୍ତାନକୁ ଜନ୍ମଠାରୁ ଆରମ୍ଭ କରି ସର୍ବାଧିକ ଛଅ ବର୍ଷ ବୟସ ପର୍ଯ୍ୟନ୍ତ ଜେଲ୍ ପରିସରରେ ନିଜ ସାଙ୍ଗରେ ରଖିପାରିବେ। ମୁସ୍କାନଙ୍କ ୧୦ ମାସର ଝିଅ ମଧ୍ୟ ଏହି ବ୍ୟବସ୍ଥା ଅଧୀନରେ ମେରଠ ଜିଲ୍ଲା ଜେଲରେ ତାଙ୍କ ମା’ଙ୍କ ସହ ରହୁଛି।
ପ୍ରକୃତ କାରଣ: ଭାରତୀୟ ଆଇନରେ ଫାଶୀ ସ୍ଥଗିତ ରଖିବାର ବ୍ୟବସ୍ଥା ଶିଶୁର ଉପସ୍ଥିତି ଉପରେ ନୁହେଁ, ବରଂ ଗର୍ଭାବସ୍ଥା ଆଧାରରେ ସ୍ଥିର ହୋଇଥାଏ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୪୫୬ ଅନୁଯାୟୀ, ଯଦି ଫାଶୀ ଦଣ୍ଡ ପାଇଥିବା ମହିଳା ଗର୍ଭବତୀ ଥିବା ଜଣାପଡ଼େ, ତେବେ ଉଚ୍ଚ ଅଦାଲତ ତାଙ୍କ ଫାଶୀ ଉପରେ ତୁରନ୍ତ ରୋକ୍ ଲଗାଇ ପାରନ୍ତି ବା ଦଣ୍ଡକୁ ଆଜୀବନ କାରାଗାରକୁ ପରିବର୍ତ୍ତନ କରିପାରନ୍ତି।
ଶିଶୁର ଭବିଷ୍ୟତ: ଯଦି ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଯାଏ ଏବଂ ଦଣ୍ଡ କାର୍ଯ୍ୟକାରୀ ହେବାର ସମୟ ଆସେ, ତେବେ ଶିଶୁଟିର ଭବିଷ୍ୟତ ଆଇନଗତ ବ୍ୟବସ୍ଥା ଦ୍ୱାରା ଧାର୍ଯ୍ୟ କରାଯିବ। ଏଭଳି ପରିସ୍ଥିତିରେ ଶିଶୁ କଲ୍ୟାଣ ସମିତି ଏବଂ ଅଦାଲତ ମିଳିତ ଭାବେ ନିଷ୍ପତ୍ତି ନିଅନ୍ତି ଯେ ଶିଶୁଟିକୁ କୌଣସି ଆତ୍ମୀୟସ୍ୱଜନ, ଅନାଥ ଆଶ୍ରମ ବା ପଞ୍ଜୀକୃତ ଆପ୍ଟୋସନ୍ ସେଣ୍ଟରକୁ ହସ୍ତାନ୍ତର କରାଯିବ, ଯାହାଫଳରେ ତାଙ୍କରଲାଳନପାଳନରେ କୌଣସି ବାଧା ଉପୁଜିବ ନାହିଁ।


