fbpx

ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ଲୋନ୍ ହେଲା ମହଙ୍ଗା, ଏବେ ବଢ଼ିବ ଗ୍ରାହକଙ୍କ EMI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧି କରିବା ପରେ ଏବେ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ଝଟକା । ଦେଶର ବଡ଼ ବଡ଼ ବ୍ୟାଙ୍କମାନେ ଏବେ ଲୋନ୍ ଦର ବୃଦ୍ଧି କରିଦେଇଛନ୍ତି । ଏହି ରେସରେ ସାମିଲ ହୋଇଛନ୍ତି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ), ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କ । ରେପୋ ରେଟ ଆଧାରରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ଲୋନ୍ ଦେଇଥାଏ । ତେଣୁ ରେପୋ ରେଟ୍ ବଢ଼ିବା ପରେ ଏବେ ଏକାଧିକ ବ୍ୟାଙ୍କର ଲୋନ୍ ଦର ମହଙ୍ଗା ହୋଇଯାଇଛି ।

ଦେଶର ସର୍ବବୃହତ୍ ବ୍ୟାଙ୍କ ଏସବିଆଇ ନିଜର ଲୋନ ଦର ମହଙ୍ଗା କରିଦେଇଛି । ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ତଥ୍ୟ ମୁତାବକ, ଏକ୍ସଟର୍ନାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ (ଇବିଏଲଆର) ଓ ରେପୋ ରେଟ ଦରକୁ ଆଧାର କରି ଆରଏଲଏଲଆରରେ ୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ପରେ ଏବେ ଇବିଏଲଆର ୮.୫୫ ପ୍ରତିଶତ ଓ ଆରଏଲଏଲଆର ୮.୧୫ ପ୍ରତିଶତରେ ପହଞ୍ଚି ଯାଇଛି । ଅର୍ଥାତ ଆଜିଠାରୁ ନୂଆ ଦର ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କରିବ ।

ଆଇସିଆଇସିଆଇ ବ୍ୟାଙ୍କର ଇବିଏଲଆର ବୃଦ୍ଧି ପାଇ ୯.୬୦ ପ୍ରତିଶତରେ ପହଞ୍ଚି ଯାଇଛି । ଲୋନ୍ ଦରରେ ବୃଦ୍ଧି ହେବା ପରେ ଯେଉଁ ଗ୍ରାହକମାନେ ଇବିଏଲଆର ବା ଆରଏଲଏଲଆର ଆଧାରରେ ଲୋନ୍ ନେଇଥିବେ ଏବେ ସେମାନଙ୍କର ଇଏମଆଇ ବଢ଼ିଯିବ । ଏଚଡିଏଫସି ବ୍ୟାଙ୍କ ହୋମ ଲୋନ୍ ଦରରେ ୦.୫୦ ପ୍ରତିଶତ ବୃଦ୍ଧି କରିଛି । ନୂଆ ଦର ଆଜିଠାରୁ ପ୍ରଭାବୀ ହୋଇଯିବ । ଗତ ପାଞ୍ଚ ମାସ ମଧ୍ୟରେ ଏଚଡିଏଫସି ୭ ଥର ସୁଧ ହାର ବୃଦ୍ଧି କରିଛି । ସେହିପରି ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଏଲଆର ବୃଦ୍ଧି ପାଇ ୮.୭୫ ପ୍ରତିଶତରେ ପହଞ୍ଚି ଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ମେ ମାସଠାରୁ ବର୍ତ୍ତମାନ ସୁଦ୍ଧା ଆରବିଆଇ ରେପୋ ରେଟରେ ୪ ଥର ବୃଦ୍ଧି କରିସାରିଲାଣି । ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ଏହି ପଦକ୍ଷେପ ନେଇଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ ।

Get real time updates directly on you device, subscribe now.