fbpx

SBI ଗ୍ରାହକଙ୍କୁ ଝଟକା: ଲୋନର ସୁଧ ହାର ବୃଦ୍ଧି କଲା ବ୍ୟାଙ୍କ, ଏବେ ବଢ଼ିଯିବ EMI

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଗ୍ରାହକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ଋଣର ସୁଧ ହାର ବୃଦ୍ଧି କରିବା ପାଇଁ ବ୍ୟାଙ୍କ ଘୋଷଣା କରିଛି । ବେଞ୍ଚମାର୍କ ପ୍ରାଇମ ଲେଣ୍ଡିଂ ରେଟ (ବିପିଏଲଆର)କୁ ୭୦ ବେସିସ ପଏଣ୍ଟ ବା ୦.୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏସବିଆଇ ପକ୍ଷରୁ କୁହାଯାଇଛି । ଏହାଫଳରେ ବ୍ୟାଙ୍କର ବିପିଏଲଆର ଏବେ ୧୩.୪୫ ପ୍ରତିଶତରେ ପହଞ୍ଚି ଯାଇଛି ।

ଚଳିତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଜର ଏମପିସି ବୈଠକରେ ରେପୋ ରେଟ୍ ବୃଦ୍ଧି ନେଇ ନିଷ୍ପତ୍ତି ନେବ । ତେବେ ଆରବିଆଇ ୫୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ରେପୋ ରେଟ୍ ବଢ଼ାଇବାର ସମ୍ଭାବନା ରହିଛି । ଦେଶର ମହଙ୍ଗା ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ପଦକ୍ଷେପ ନିଆଯାଇପାରେ । ଏହାପୂର୍ବରୁ ଏସବିଆଇ ନିଜର ଲୋନ୍ ଦରରେ ପରିବର୍ତ୍ତନ କରିଦେଇଛି ।

ଏସବିଆଇ ବିପିଏଲଆର ବୃଦ୍ଧି କରିବା ଫଳରେ ଏହା ଦ୍ୱାରା ଗ୍ରାହକମାନେ ପ୍ରଭାବିତ ହେବେ । ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଲୋନ୍ ରିପେମେଣ୍ଟ କରିବାକୁ ପଡ଼ିବ । ଅର୍ଥାତ ପୂର୍ବରୁ ସେମାନେ ଯେଉଁ ଦରରେ ଲୋନ ରିପେମେଣ୍ଟ କରୁଥିଲେ ଏବେ ତା’ଠାରୁ ଅଧିକ ଅର୍ଥ ପଇଠ କରିବାକୁ ପଡ଼ିବ । ଗତ ଜୁନ୍ ମାସରେ ଏସବିଆଇ ବିପିଏଲଆରରେ ବୃଦ୍ଧି କରିଥିଲା ।

ନୂଆ ବିପିଏଲଆର ବୃଦ୍ଧି ଘୋଷଣା ଆଜି ଠାରୁ ଲାଗୁ ହୋଇଯାଇଛି । ଏସବିଆଇ ଏନେଇ ନିଜର ଅଫିସିଆଲ ୱେବସାଇଟରେ ସୂଚନା ଦେଇଛି । ଯେଉଁ ଲୋକମାନେ ବେସ ରେଟ ଆଧାରରେ ଲୋନ ନେଇଥିବେ, ଏବେ ସେମାନଙ୍କୁ ପୂର୍ବାପେକ୍ଷା ଅଧକ ଇଏମଆଇ ଭରଣା କରିବାକୁ ପଡ଼ିବ । ପୂର୍ବରୁ ବ୍ୟାଙ୍କମାନେ ବେଞ୍ଚମାର୍କ ଆଧାରରେ ଲୋନ ଦେଉଥିଲେ । ମାତ୍ର ଏବେ ଅଧିକାଂଶ ବ୍ୟାଙ୍କ ବାହ୍ୟ ବେଞ୍ଚମାର୍କ ବେସଡ ଲେଣ୍ଡିଂ ରେଟ ଅର୍ଥାତ ଇବିଏଲଆରରେ ଲୋନ୍ ଦେଉଛନ୍ତି । ବ୍ୟାଙ୍କମାନେ ବିପିଏଲଆର ଓ ବେସ ରେଟ ପ୍ରତି ତିନି ମାସରେ ଥରେ ସଂଶୋଧନ କରିଥାନ୍ତି । ତେବେ ଆଗକୁ ଦେଶର ଅନ୍ୟ ବ୍ୟାଙ୍କମାନେ ଏସବିଆଇକୁ ଅନୁସରଣ କରି ବେଞ୍ଚମାର୍କ ବେସଡ ଲେଣ୍ଡିଂ ରେଟରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.