ଯୁବପିଢ଼ିଙ୍କ ପାଇଁ ବଡ଼ ଖବର! SBIରେ ହେବ ୧୨ ହଜାର ନିଯୁକ୍ତି, ଖୋଲିବ ୨୫୦ ନୂଆ ଶାଖା
ଏସ୍ବିଆଇ ଚେୟାରମ୍ୟାନ୍ ସିଏସ୍ ସେଟ୍ଟୀଙ୍କ ସୂଚନା ଅନୁସାରେ, ଏହି ନିଯୁକ୍ତି ମୁଖ୍ୟତଃ କ୍ଲେରିକାଲ୍ ଓ ଅଫିସର କ୍ୟାଡର୍ରେ ହେବ
ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ବଡ଼ ଖବର। ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍ବିଆଇ) ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ରେ ପ୍ରାୟ ୧୧ ହଜାରରୁ ୧୨ ହଜାର ନୂଆ କର୍ମଚାରୀ ନିଯୁକ୍ତ କରିବାକୁ ଯୋଜନା କରୁଛି।
ଏସ୍ବିଆଇ ଚେୟାରମ୍ୟାନ୍ ସିଏସ୍ ସେଟ୍ଟୀଙ୍କ ସୂଚନା ଅନୁସାରେ, ଏହି ନିଯୁକ୍ତି ମୁଖ୍ୟତଃ କ୍ଲେରିକାଲ୍ ଓ ଅଫିସର କ୍ୟାଡର୍ରେ ହେବ। ତେବେ ଅବସର ନେଉଥିବା କର୍ମଚାରୀଙ୍କ ସଂଖ୍ୟା ଓ ବ୍ୟାଙ୍କର ଆବଶ୍ୟକତା ଅନୁସାରେ ଚୂଡ଼ାନ୍ତ ନିଯୁକ୍ତି ସଂଖ୍ୟାରେ କେତେକ ପରିବର୍ତ୍ତନ ହୋଇପାରେ। ବ୍ୟାଙ୍କ ପକ୍ଷରୁ ଆଶା କରାଯାଉଛି; ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରେ।
ପୂର୍ବ ବର୍ଷ ୨୫ ହଜାରରୁ ଅଧିକ ନିଯୁକ୍ତି: ଗତ ଆର୍ଥିକ ବର୍ଷରେ ମଧ୍ୟ ଏସ୍ବିଆଇ ବଡ଼ ଧରଣର ନିଯୁକ୍ତି ଦେଇଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ୟାଙ୍କ ମୋଟ ୨୫,୬୩୩ ଜଣଙ୍କୁ ନିଯୁକ୍ତି ଦେଇଥିଲା। ଏଥିରେ ୪,୬୪୦ ଅଫିସର, ୧୯,୩୪୦ ଆସୋସିଏଟ ଓ ୧,୬୫୩ ଜଣ କଣ୍ଟ୍ରାକ୍ଚୁଆଲ୍ କର୍ମଚାରୀ ଥିଲେ। ୨୦୨୬ ମାର୍ଚ୍ଚ ସୁଦ୍ଧା ଏସ୍ବିଆଇରେ ୨.୪୫ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିଲେ। ଏଥର ନିଯୁକ୍ତିର ଫୋକସ୍ ମୁଖ୍ୟତଃ କ୍ଲେରିକାଲ୍ ଓ ଅଫିସର କ୍ୟାଡର୍ ଉପରେ ରହିବ।
ଦେଶରେ ଖୋଲିବ ଆଉ ୨୦୦ରୁ ୨୫୦ ନୂଆ ଶାଖା: କେବଳ କର୍ମଚାରୀ ନିଯୁକ୍ତି ନୁହେଁ, ନିଜର ବ୍ୟାଙ୍କିଂ ନେଟୱର୍କକୁ ମଧ୍ୟ ଆହୁରି ବଢ଼ାଇବାକୁ ଯାଉଛି ଏସ୍ବିଆଇ। ୨୦୨୬-୨୭ ଆର୍ଥିକ ବର୍ଷରେ ବ୍ୟାଙ୍କ ନେଟ୍ ଆଧାରରେ ପ୍ରାୟ ୨୦୦ରୁ ୨୫୦ଟି ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି। ନୂଆ କଲୋନୀ ବିକଶିତ ହେଉଥିବା ଅଞ୍ଚଳ ଓ ବ୍ୟବସାୟିକ କାର୍ଯ୍ୟକଳାପ ବଢ଼ୁଥିବା ଜିଲ୍ଲା ଗୁଡ଼ିକରେ ବ୍ୟାଙ୍କ ନିଜର ଉପସ୍ଥିତି ବଢ଼ାଇବାକୁ ଚାହୁଁଛି। ଏଥିସହ କିଛି ପୁରୁଣା ଶାଖାର ଯୁକ୍ତିକରଣ ଉପରେ ମଧ୍ୟ ବ୍ୟାଙ୍କ କାମ କରୁଛି।
ଏନ୍ଏସ୍ଇ ଆଇପିଓରେ ଏସ୍ବିଆଇ ବିକ୍ରି କରିବ ୧% ପର୍ଯ୍ୟନ୍ତ ଅଂଶଧନ: ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏସ୍ଏସ୍ଇ)ର ପ୍ରସ୍ତାବିତ ଆଇପିଓକୁ ନେଇ ମଧ୍ୟ ଏସ୍ବିଆଇ ଚେୟାରମ୍ୟାନ୍ ବଡ଼ ସୂଚନା ପ୍ରଦାନ କରିଛନ୍ତି। ଏସ୍ବିଆଇ ଓ ଏହାର ସହାୟକ କମ୍ପାନୀ ଏସ୍ବିଆଇ କ୍ୟାପିଟାଲ ମାର୍କେଟ୍ସ୍ ମିଶି ଏନ୍ଏସ୍ଇରେ ଥିବା ନିଜର ପ୍ରାୟ ୧ ପ୍ରତିଶତ ପର୍ୟ୍ୟନ୍ତ ଅଂଶଧନ ବିକ୍ରି କରିପାରନ୍ତି। ଏଥିରେ ଏସ୍ବିଆଇ ପ୍ରାୟ ୦.୬୫% ଏବଂ ଏସ୍ବିଆଇ କ୍ୟାପିଟାଲ ମାର୍କେଟ୍ସ ପ୍ରାୟ ୦.୩୫% ଅଂଶଧନ ବିକ୍ରି କରିବା ଯୋଜନା ରହିଛି। ତେବେ ଅନ୍ୟ ଶେୟରହୋଲ୍ଡରମାନେ ଆଇପିଓରେ ଅଂଶ ନେଲେ ଭଲ ରୋଜକାର କରିବେ। ବର୍ତ୍ତମାନ ଏସ୍ବିଆଇ ପାଖରେ ଏନ୍ଏସ୍ଇର ୩.୨୩% ଓ ଏସ୍ବିଆଇ କ୍ୟାପିଟାଲ ମାର୍କେଟ୍ସ ପାଖରେ ୪.୩୩% ଅଂଶଧନ ରହିଛି।

