fbpx

Hate Speech ରାଜନେତାଙ୍କୁ ଅଧିକ ଫାଇଦା ଦେଉଛି: କେନ୍ଦ୍ର ସରକାର ଆଖି ବନ୍ଦ କରି ବସିଛନ୍ତି କାହିଁକି, ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘୃଣ୍ୟ ମନ୍ତବ୍ୟ (ହେଟ୍ ସ୍ପିଚ୍) ମାମଲାରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୨୩ ତାରିଖରେ କରାଯିବ । ହେଟ୍ ସ୍ପିଚକୁ ରୋକିବା ପାଇଁ ଲ’ କମିସନଙ୍କ ସୁପାରିଶ ଲାଗୁ କରାଯିବାକୁ ଇଚ୍ଛୁକ କି ନା ସେନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ୧୪ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କିଛିଦିନ ପୂର୍ବରୁ ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ପକ୍ଷରୁ ହେଟ୍ ସ୍ପିଚକୁ ନେଇ ସୁପ୍ରିମକୋର୍ଟରେ ଏକ ଆଫିଡାଭିଟ୍ ଦାଖଲ କରାଯାଇଥିଲା । ହେଟ୍ ସ୍ପିଚକୁ ରୋକିବା ପାଇଁ ସ୍ପଷ୍ଟ ଭାବେ କୌଣସି ଆଇନ ନାହିଁ । ଯେଉଁ ଆଇନ ରହିଛି ତାହା ଠିକ୍ ନାହିଁ । ଯଦି କୌଣସି ପାର୍ଟିର ସଦସ୍ୟ ଅଭଦ୍ର ଭାଷା ପ୍ରୟୋଗରେ ଲିପ୍ତ ରୁହନ୍ତି ତେବେ ଏହାପରେ ଉକ୍ତ ପାର୍ଟିର ରାଜନୈତିକ ସଦସ୍ୟତା ପ୍ରତ୍ୟାହାର କରିବା ବା ସଦସ୍ୟଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ଆଇନଗତ ଅଧିକାର ନାହିଁ । ସୁପ୍ରିମକୋର୍ଟଙ୍କ ନିକଟରେ ଅସମର୍ଥତା ଜାହିର କରି ଏପରି କହିଥିଲେ ଇସିଆଇ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ କେଏମ ଯୋସେଫ ଓ ଜଷ୍ଟିସ ଋଷିକେଶ ରାୟଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିଲେ । କୌଣସି ଟକ ଶୋ’ ଓ ରିପୋର୍ଟ ଟେଲିକାଷ୍ଟ ସମୟରେ ଖରାପ ଭାଷାର ପ୍ରୟୋଗକୁ ରୋକିବା ଆଙ୍କରଙ୍କର ଦାୟିତ୍ୱ । ସରକାର ଏ ବାବଦରେ କାହିଁକି ନିରବତା ଅବଲମ୍ବନ କରିଛନ୍ତି । ଏହା କ’ଣ ଏକ ସାଧାରଣ ପ୍ରସଙ୍ଗ? ସମସ୍ତଙ୍କର ଅଭିବ୍ୟକ୍ତ କରିବାର ସ୍ୱାଧିନତା ରହିଛି, ମାତ୍ର ଟିଭିରେ ଅଭଦ୍ର ଭାଷା ପ୍ରୟୋଗ କରିବାର ସ୍ୱାଧିନତା ନାହିଁ । ହେଟ୍ ସ୍ପିଚ କେବଳ ରାଜନେତାଙ୍କୁ ଫାଇଦା ଦେଇଥାଏ । ଟିଭି ଚ୍ୟାନେଲ ସେମାନଙ୍କୁ ଏକ ମଞ୍ଚ ପ୍ରଦାନ କରିଥାନ୍ତି ।

Get real time updates directly on you device, subscribe now.