‘ଗୁଡ ଟଚ, ବ୍ୟାଡ ଟଚ’ ଶିଖିଲେ; ଖୋଲିଲା ନାଳୁଆ ସାର ପୋଲ, ବାନ୍ଧିଲା ପୋଲିସ
ଗୁଜରାଟ ଅମରେଲି ଜିଲ୍ଲା ଜାଫରାବାଦ ଥାନା ପୋଲିସ ପକ୍ଷରୁ ଏକ ସରକାରୀ ପ୍ରାଥମିକ ସ୍କୁଲରେ ‘ମିଶନ ସ୍ମାଇଲ୍’ ଅଭିଯାନ ଅଧୀନରେ ‘ଗୁଡ୍ ଟଚ୍, ବ୍ୟାଡ୍ ଟଚ୍’ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା।
ଗୁଜରାଟ: ଚାହା କରିବା ବାହାନାରେ କମନ ରୁମକୁ ଛାତ୍ରୀଙ୍କୁ ଡାକି ସାର କରୁଥିଲେ ବେଡ୍ ଟଚ୍। କେବଳ ଖାଲି ଡାଟିଟଚ୍ ନୁହେଁ, ଦୁଷ୍କର୍ମ ମଧ୍ୟ କରୁଥିଲେ। ସାରଙ୍କ ଏହି ଅମାନବୀୟ କାମ ଦୀର୍ଘ ଦିନ ଧରି ଚାଲିଥିଲା। ହେଲେ ଗୁଜରାଟ ପୋଲିସ୍ର ‘ଗୁଡ଼ ଟଚ୍, ବ୍ୟାଡ୍ ଟଚ୍’ ସଚେତନତା କାର୍ଯ୍ୟକ୍ରମ ଖୋଲି ଦେଲା ସାରଙ୍କ ଖେଳ। କାଉନ୍ସିଲିଂ ସମୟରେ ସ୍କୁଲର ୪ ଛାତ୍ରୀ ଖୋଲି ଦେଇଥିଲେ ଶିକ୍ଷକଙ୍କ ପୋଲ୍। ଆଉ ଏବେ ପୋଲିସ ମାମଲା ରୁଜୁ କରି ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗୁଜରାଟ ଅମରେଲି ଜିଲ୍ଲା ଜାଫରାବାଦ ଥାନା ପୋଲିସ ପକ୍ଷରୁ ଏକ ସରକାରୀ ପ୍ରାଥମିକ ସ୍କୁଲରେ ‘ମିଶନ ସ୍ମାଇଲ୍’ ଅଭିଯାନ ଅଧୀନରେ ‘ଗୁଡ୍ ଟଚ୍, ବ୍ୟାଡ୍ ଟଚ୍’ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା। ପୋଲିସ ପକ୍ଷରୁ ଗୁଡ଼୍ ଟଚ୍ ଓ ବ୍ୟାଡ୍ ଟଚ୍ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନତା କରାଯାଇଥିଲା। ସେହି ସମୟରେ ଛାତ୍ରୀମାନେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ପରିବାର ଲୋକଙ୍କ ସହାୟତାରେ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ମିଳିବା ପରେ ପୋଲିସ ଟିମ୍ ଆକ୍ସନ୍କୁ ଆସିଥିଲା। ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଶିକ୍ଷକ ଜଣକ ଚା’ ତିଆରି କରିବା ବାହାନାରେ ଛାତ୍ରୀମାନଙ୍କୁ ଷ୍ଟାଫ ରୁମ୍କୁ ଡାକୁଥିଲେ। ସେଠାରେ ସେମାନଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଏହି ମାମଲାରେ ଜାଫରାବାଦ ଟାଉନ ଥାନା ପୋଲିସ ଷ୍ଟେସନରେ ଶୁକ୍ରବାର ପୋକ୍ସୋ ଆଇନ ଏବଂ ଦୁଷ୍କର୍ମ ସମ୍ବନ୍ଧୀୟ ଧାରାରେ ମାମଲା ରୁଜୁ କରିଥିଲା। ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ରାଜୁଲାର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ନୟନା ଗୋରାଡିୟାଙ୍କ ସୂଚନା ଅନୁଯାୟୀ, ଅମରେଲି ଜିଲ୍ଲାର ‘ମିଶନ ସ୍ମାଇଲ୍’ ଅଭିଯାନ ଅଧୀନରେ ଜାଫରାବାଦ ପୋଲିସ ପକ୍ଷରୁ ସ୍କୁଲରେ ଏହି ସଚେତନତା ସେମିନାର ଆୟୋଜନ କରାଯାଉଥିଲା। ଏହି ସମୟରେ ଛାତ୍ରୀମାନେ ସାହସ ଜୁଟାଇ ନିଜ ସହ ଘଟିଥିବା ଘଟଣା ସମ୍ପର୍କରେ ଜଣାଇଥିଲେ।


