ବୈଜ୍ଞାନିକଙ୍କ ବଡ ସଫଳତା, Cobra ବିଷକୁ ରୋକିବ ନୂଆ ଆଣ୍ଟିଭେନମ୍!

ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (IISc) ଏବଂ ଡେନମାର୍କର ବୈଜ୍ଞାନିକମାନେ ମିଳି୍ତ ଭାବେ ପରୀକ୍ଷାଗାରରେ ସାପ କାମୁଡ଼ାର ଏକ ନୂଆ ଆଣ୍ଟିଭେନମ୍ (ବିଷ ମାରିବା ଔଷଧ) ବିକଶିତ କରିଛନ୍ତି।

ନୂଆଦିଲ୍ଲୀ: ଗବେଷକମାନେ ସାପ କାମୁଡ଼ିଲେ ବ୍ୟବହାର କରାଯାଉଥିବା ଆଣ୍ଟିଭେନମ୍‌ର ଏକ ନୂଆ ପ୍ରକାର ବିକଶିତ କରିଛନ୍ତି। ଏହି ନୂଆ ଔଷଧକୁ ପରୀକ୍ଷାଗାରରେ ତିଆରି କରାଯାଇଛି। ମୂଷାଙ୍କ ଉପରେ କରାଯାଇଥିବା ପରୀକ୍ଷାରେ ଏହା ତମ୍ପ ସାପ, ମୋନୋକଲ୍‌ଡ କୋବ୍ରା ଏବଂ ଭାରତର ଦୁଇ ପ୍ରକାର କିଙ୍ଗ କୋବ୍ରାର ବିଷରୁ ସୁରକ୍ଷା ଦେଇଥିବା ଜଣାପଡ଼ିଛି।

ଏହି ନୂଆ ଆଣ୍ଟିଭେନମ୍‌ ପରୀକ୍ଷାଗାରରେ ବିଶେଷ ପ୍ରଯୁକ୍ତି ବ୍ୟବହାର କରି ତିଆରି କରାଯାଇଛି। ବର୍ତ୍ତମାନ ଆଣ୍ଟିଭେନମ୍‌ ତିଆରି କରିବା ପାଇଁ ଘୋଡ଼ା କିମ୍ବା ମେଣ୍ଢା ଭଳି ପଶୁଙ୍କ ବ୍ୟବହାର କରାଯାଏ। କିନ୍ତୁ ନୂଆ ପ୍ରଣାଳୀରେ ବାରମ୍ବାର ପଶୁଙ୍କୁ ସାପ ବିଷ ଦେଇ ତାଙ୍କ ଶରୀରରୁ ଔଷଧ ପାଇଁ ଆବଶ୍ୟକ ଉପାଦାନ ନେବା ଦରକାର ପଡ଼ିବ ନାହିଁ।

ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (IISc) ଏବଂ ଡେନମାର୍କର ଟେକ୍ନିକାଲ୍‌ ୟୁନିଭର୍ସିଟିର ଗବେଷକମାନେ ମିଶି ଏହି ଅଧ୍ୟୟନ କରିଛନ୍ତି। ବର୍ତ୍ତମାନ ପ୍ରଣାଳୀରେ ସାପ ବିଷକୁ ଘୋଡ଼ା କିମ୍ବା ମେଣ୍ଢା ଶରୀରରେ ଦିଆଯାଏ। ଏହା ପରେ ପଶୁଟିର ଶରୀର ବିଷ ବିରୁଦ୍ଧରେ ଲଢ଼ିବା ପାଇଁ ଏକ ପ୍ରକାର ଔଷଧୀୟ ପଦାର୍ଥ ପ୍ରସ୍ତୁତ କରେ।। ଏହି ପଦାର୍ଥକୁ ବ୍ୟବହାର କରି ଆଣ୍ଟିଭେନମ୍‌ ତିଆରି କରାଯାଏ।

IIISc ଗବେଷକ କାର୍ତ୍ତିକ ସୁନାଗରଙ୍କ କହିବା କଥା ହେଲା, ଶହେ ବର୍ଷ ହେବ ସାପ ବିଷ ଛଡ଼ାଇବା ଚିକିତ୍ସା ପଦ୍ଧତିରେ ସେମିତି କିଛି ବଡ଼ ବଦଳ ଆସିନାହିଁ। ତାଙ୍କ ମତରେ, ଏହି ନୂଆ ଆଣ୍ଟିଭେନମ୍‌ ଭାରତରେ ସାପ କାମୁଡ଼ା ସମସ୍ୟାର ମୁକାବିଲା ପାଇଁ ଏକ ନୂଆ ଆଶା ହୋଇପାରେ।

ଗବେଷକମାନେ କହିଛନ୍ତି ଯେ, ସବୁ ସାପର ବିଷ ଏକାଭଳି ନୁହେଁ। ବିଭିନ୍ନ ସାପର ବିଷ ଶରୀରର ଭିନ୍ନ ଅଂଶକୁ କ୍ଷତି କରେ। କେତେକ ବିଷ ସ୍ନାୟୁକୁ ଦୁର୍ବଳ କରେ, କେତେକ ରକ୍ତକୁ କ୍ଷତି କରେ ଏବଂ ଆଉ କେତେକ ଶରୀରର ମାଂସ ଓ ଟିସୁକୁ ନଷ୍ଟ କରେ। ତେଣୁ ସବୁ ପ୍ରକାର ସାପ ପାଇଁ ଗୋଟିଏ ଔଷଧ ତିଆରି କରିବା କଷ୍ଟକର।

ବର୍ତ୍ତମାନ ବ୍ୟବହାର ହେଉଥିବା ଆଣ୍ଟିଭେନମ୍‌ର ମଧ୍ୟ କିଛି ସମସ୍ୟା ରହିଛି। ଏହାର ଗୁଣବତ୍ତା ପ୍ରତିଥର ସମାନ ରହିନପାରେ। ଏହା ବ୍ୟବହାର କଲେ କିଛି ଲୋକଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। ଏହା ସବୁ ପ୍ରଜାତିର ସାପ ବିଷ ବିରୋଧରେ ମଧ୍ୟ ସମାନ ଭାବେ କାମ କରେନାହିଁ। ଏହାକୁ ତିଆରି କରିବା ମଧ୍ୟ ଅଧିକ ଖର୍ଚ୍ଚସାପେକ୍ଷ।

ଏହି ଗବେଷଣାରେ ବୈଜ୍ଞାନିକମାନେ ଆଲ୍‌ପାକା ଓ ଲାମା ଭଳି ପଶୁଙ୍କଠାରୁ ମିଳିଥିବା ବିଶେଷ ପ୍ରକାରର ପ୍ରତିରୋଧୀ ପଦାର୍ଥ ବ୍ୟବହାର କରିଛନ୍ତି। ପୂର୍ବରୁ ଏହି ପଶୁମାନଙ୍କୁ ଆଫ୍ରିକାର ବିଭିନ୍ନ ସାପର ବିଷ ଦିଆଯାଇଥିଲା। ଏହା ପରେ ସେମାନଙ୍କ ଶରୀରରେ ବିଷ ବିରୋଧରେ ତିଆରି ହୋଇଥିବା ପଦାର୍ଥକୁ ସଂଗ୍ରହ କରାଯାଇଥିଲା।

ପରେ ଗବେଷକମାନେ ଏହି ପଦାର୍ଥକୁ ଭାରତର ବିଭିନ୍ନ କୋବ୍ରା ସାପର ବିଷ ଉପରେ ପରୀକ୍ଷା କରିଥିଲେ। ଏହା ଭାରତୀୟ ସାପର ବିଷକୁ ମଧ୍ୟ ନିଷ୍କ୍ରିୟ କରିପାରୁଥିବା ଜଣାପଡ଼ିଥିଲା।

ଡେନମାର୍କର ଟେକ୍ନିକାଲ୍‌ ୟୁନିଭର୍ସିଟିର ପ୍ରଫେସର ଆଣ୍ଡ୍ରିଆସ୍‌ ଲାଉସ୍‌ଟେନ୍‌ କହିଛନ୍ତି ଯେ, ଯେଉଁ ଅଞ୍ଚଳରେ ଯେଉଁ ପ୍ରଜାତିର ସାପ ଅଧିକ ରହିଛନ୍ତି, ସେହି ସାପର ବିଷକୁ ଲକ୍ଷ୍ୟ କରି ଅଲଗା ଅଲଗା ଆଣ୍ଟିଭେନମ୍‌ ତିଆରି କରାଯାଇପାରିବ। ଏହି ଗବେଷଣା ଏଥିପାଇଁ ଏକ ନୂଆ ରାସ୍ତା ଦେଖାଇଛି।

ଗବେଷକମାନେ ଏଭଳି ପାଞ୍ଚଟି ଛୋଟ ପ୍ରତିରୋଧୀ ପଦାର୍ଥ ଚିହ୍ନଟ କରିଛନ୍ତି, ଯାହାକୁ ‘ନାନୋବଡି’ କୁହାଯାଏ। ଏହି ପାଞ୍ଚଟିକୁ ମିଶାଇ ତିଆରି ହୋଇଥିବା ଔଷଧ କୋବ୍ରାର ବିଭିନ୍ନ ପ୍ରଜାତିର ବିଷକୁ ନିଷ୍କ୍ରିୟ କରିପାରିଥିଲା। ଏହା ଫଳରେ ବିଷ ଶରୀରରେ ଯେଉଁ ଅଂଶକୁ ଆକ୍ରମଣ କରେ, ସେଠାରେ ପହଞ୍ଚିବାକୁ ବିଷକୁ ରୋକାଯାଇଥିଲା।

ବିଷ ଦିଆଯାଇଥିବା ମୂଷାଙ୍କ ଉପରେ ଏହି ଔଷଧର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ଏହା ତମ୍ପ ସାପ, ମୋନୋକଲ୍‌ଡ କୋବ୍ରା ଏବଂ ଭାରତର ଦୁଇ ପ୍ରକାର କିଙ୍ଗ କୋବ୍ରାର ବିଷରୁ ମୂଷାଙ୍କୁ ବଞ୍ଚାଇଥିଲା। ବିଷ ଦିଆଯିବାର ୩୦ ମିନିଟ୍‌ ପରେ ମଧ୍ୟ କିଛି ମୂଷାଙ୍କୁ ମୃତ୍ୟୁରୁ ବଞ୍ଚାଇପାରିଥିଲା।

କାର୍ତ୍ତିକ ସୁନାଗର କହିଛନ୍ତି ଯେ, ବିଷ ଯୋଗୁଁ ଯେଉଁ ମୂଷାମାନେ ଶରୀର ଚଳାଇ ପାରୁନଥିଲେ କିମ୍ବା ସାପ ବିଷର ସାଧାରଣ ଲକ୍ଷଣ ଦେଖାଇଥିଲେ, ସେମାନେ ମଧ୍ୟ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ।

ଗବେଷକମାନେ କହିଛନ୍ତି ଯେ, ଏହି ପରୀକ୍ଷାର ଫଳାଫଳ ଭବିଷ୍ୟତରେ ଅଧିକ ପ୍ରକାର ସାପର ବିଷ ବିରୋଧରେ କାମ କରୁଥିବା ନୂଆ ଆଣ୍ଟିଭେନମ୍‌ ତିଆରି କରିବାର ଆଶା ସୃଷ୍ଟି କରିଛି। ତେବେ ଏହି ନୂଆ ଆଣ୍ଟିଭେନମ୍‌ ଏବେ ମଧ୍ୟ ଗବେଷଣା ଓ ପରୀକ୍ଷା ପର୍ଯ୍ୟାୟରେ ରହିଛି।