fbpx

ଓଡ଼ିଶାରେ ଆରମ୍ଭ ହେବ ଯାଞ୍ଚ: ପଛ ସିଟ ବେଲଟ୍ ବାଧ୍ୟତାମୂଳକ, ନଚେତ୍ ଭରିବେ ଫାଇନ୍

ନୂଆଦିଲ୍ଲୀ: କାର ପଛରେ ସିଟରେ ବସୁଥିବା ଯାତ୍ରୀମାନେ ସିଟ ବେଲଟ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମ ଖୁବଶୀଘ୍ର ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି । ନିକଟରେ କାର ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିବା ପରେ ସମସ୍ତ ରାଜ୍ୟରେ ଏହି ନିୟମ ଲାଗୁ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।

ତେବେ କେନ୍ଦ୍ର ସରକାରଙ୍କ ନିୟମକୁ ଆଧାର କରି ଏବେ ଓଡ଼ିଶାରେ ଏହି ନିୟମ କଡ଼ାକଡ଼ି ହେବାକୁ ଯାଉଛି । ଦୁଇ ଚକିଆ, ତିନି ଚକିଆ ଯାନକୁ ଛାଡ଼ି ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ, ସେଥିରେ ଡ୍ରାଇଭର ନିକଟରେ ଆଗ ସିଟରେ ବସୁଥିବା ଯାତ୍ରୀ ସିଟ ବେଲଟ ପିନ୍ଧିବା ବାଧ୍ୟତାମୂଳକ । ସେହିପରି ୮ ସିଟରୁ କମ୍ ବିଶିଷ୍ଟ ଗାଡ଼ିରେ ପଛରେ ବସୁଥିବା ଯାତ୍ରୀମାନେ ମଧ୍ୟ ସିଟ ବେଲଟ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ଯେଉଁ ଯାତ୍ରୀମାନେ ଏହି ନିୟମକୁ ଅବମାନନା କରିବେ, ସେମାନଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଏଥିସହିତ ପଛ ସିଟରେ ସିଟ ବେଲଟ ବାନ୍ଧିବାକୁ ସହଜ କରିବା ପାଇଁ ଫିଟନେସ ନବୀକରଣ କରାଇବାକୁ କୁହାଯାଇଛି । ଏହି ନିୟମ କଡ଼ାକଡ଼ି କରିବାକୁ ପରିବହନ ବିଭାଗ ପକ୍ଷରୁ ପରିବହନ କମିସନରଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିଲା । ଆସନ୍ତା ୧ ତାରିଖରୁ ଏହାର ଯାଞ୍ଚ କରାଯିବ । ଏବେ ଜନସାଧାରଣ ସିଟ ବେଲଟକୁ ନେଇ ମଧ୍ୟ ସାବଧାନ ରହିବା ଜରୁରୀ ହୋଇଯାଇଛି ।

Get real time updates directly on you device, subscribe now.