ଆତଙ୍କବାଦୀ ଆକ୍ରମଣର ଶୀକାର ହୋଇଥିବା ଦ୍ୱିତୀୟ ଶ୍ରମିକର ହସ୍ପିଟାଲରେ ମୃତ୍ୟୁ
ଆକ୍ରମଣକାରୀକୁ ଖୋଜିବା ପାଇଁ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଏକ ବଡ ସର୍ଚ୍ଚ ଅପରେସନ ଆରମ୍ଭ କରିଯାଇଛି ଏବଂ ଖାନ ତଲାସି ଅଭିଯାନ ଜୋରଦାର କରାଯାଇଛି ।
ଶ୍ରୀନଗର : ଜମ୍ମୁ କାଶ୍ମୀର ପୁଣି ଏକ ଦୁଃଖଦ ଘଟଣା ଘଟିଛି । ପହଲଗାମ ଭଳି ଆଉ ଏକ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ କୁଲଗାମରେ ଘଟିଛି । ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଦୁହେଁ ଛତିଶଗଡ଼ର ବାସିନ୍ଦା ଏବଂ ବୟସ ପ୍ରାୟ ୨୦ ବର୍ଷ ଥିଲା। ଦୀପକ ରାତ୍ରେ ନାମକ ଜଣେ ଶ୍ରମିକ ହସ୍ପିଟାଲକୁ ନେବା ପୂର୍ବରୁ ପ୍ରାଣ ହରାଇଥିବାବେଳେ, ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ପରେ ଶନିବାର ଦିନ ହସ୍ପିଟାଲରେ ଆଉ ଜଣେ ଗୁରୁତର ଆହତ ଥିବା ଶ୍ରମିକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
ଜମ୍ମୁ-କାଶ୍ମୀର ପୋଲିସ କହିଛି ଯେ, ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ଘେରାଉ କରି ବ୍ୟାପକ ଖାନ ତଲାସି ଅଭିଯାନ ଚଳାଇଛନ୍ତି। ଆକ୍ରମଣକାରୀଙ୍କୁ ଖୋଜି ବାହାର କରି ଗିରଫ କରିବା ପାଇଁ ଅଭିଯାନ ଜୋରଦାର କରାଯାଇଛି।
Uttarakhand Govt.
ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ପୋଲିସ ମହାନିର୍ଦ୍ଦେଶକ ନଳିନ ପ୍ରଭାତ ଓ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନକୁ ଆହୁରି ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀମାନଙ୍କୁ ଆଇନ ଅନୁଯାୟୀ କଠୋର ଶାସ୍ତି ଦିଆଯିବ ବୋଲି ସେ କହିଛନ୍ତି।
ଏହି ଆକ୍ରମଣର ଦାୟିତ୍ୱ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ନେଇଥିବା ସୂଚନା ମିଳିଛି। ଏହି ସଂଗଠନକୁ ପାକିସ୍ତାନ ସମର୍ôଥତ ଲସ୍କର-ଇ-ତୋଇବାର ଏକ ସହଯୋଗୀ ସଂଗଠନ ବୋଲି ଧରାଯାଏ। ସୋସିଆଲ ମିଡିଆରେ ପ୍ରଚାରିତ ଖବରରେ ସଂଗଠନ ପକ୍ଷରୁ ଅଣସ୍ଥାନୀୟ ଲୋକ ଓ ଜମ୍ମୁ-କାଶ୍ମୀର ପୋଲିସ କର୍ମଚାରୀଙ୍କୁ ଆଉ ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୧୦ ଦିନ ମଧ୍ୟରେ କାଶ୍ମୀର ଉପତ୍ୟକାରେ ଏହା ଦ୍ୱିତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ। ଏହା ପୂର୍ବରୁ ଜୁଲାଇ ୨୨ରେ ଅନନ୍ତନାଗର ଲାଲ ଚକ ଅଞ୍ଚଳରେ ଜମ୍ମୁ-କାଶ୍ମୀର ପୋଲିସର ହେଡ୍ କନଷ୍ଟେବଳ ଆଶିକ ହୁସେନ କୁରେଶୀଙ୍କୁ ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା। ଲଗାତାର ଏଭଳି ଆକ୍ରମଣ ଯୋଗୁଁ କାଶ୍ମୀରରେ ପୁଣିଥରେ ସୁରକ୍ଷା କର୍ମୀ ଏବଂ ଅଣସ୍ଥାନୀୟ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ହତ୍ୟା ଘଟଣା ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢ଼ିଛି।

